ଭୁବନେଶ୍ବର : ରାଜ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍ ବିଭାଗର ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଅସହଯୋଗ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅସନ୍ତୋଷ ଜଣାଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ସ୍ବାର୍ଥ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଚାକିରି ଓ ରୋଜଗାର ସମ୍ଭାବନା ଆଣିଥିଲା ବେଳେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଉ ନାହାନ୍ତି। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶର ଗ୍ୟାସ୍ ଓ ପେଟ୍ରୋକେମିକାଲ୍‌ସ୍‌ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ପରିଚିତ ‌େହବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗଗୁଡ଼ିକୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଉପରେ ବିଜେଡି ଜବାବ ରଖିଛି।

Advertisment

ମନ୍ତ୍ରୀ ଦର୍ଶାଇଛନ୍ତି, ୪୦ ହଜାର କୋଟି ଟଙ୍କାର ୧୫ ଏମ୍‌ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ପାରାଦୀପ ତୈଳ ରିଫାଇନେରି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ନୂଆ ନୂଆ ପ୍ରକଳ୍ପରେ ପୁଞ୍ଜିନିବେଶ ହୋଇଛି। ୫ଟି ବୃହତ ପ୍ରକଳ୍ପ ପାଇଁ ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦୀର୍ଘ ଦିନର ଆବେଦନ ପଡ଼ି ରହିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ପାରାଦୀପ ତୈଳ ବିଶୋଧନାଗାରର କ୍ଷମତା ୧୫ରୁ ୨୫ ଏମ୍‌ଏମ୍‌ଟିପିଏକୁ ବୃଦ୍ଧି, ପେଟ୍ କୋକ୍ ଗ୍ୟାସିଫିକେସନ୍ ପ୍ରକଳ୍ପ, ପିଏକ୍ସ/ପିଟିଏ ପ୍ରକଳ୍ପର ସମ୍ପ୍ରସାରଣ, ଭଦ୍ରକରେ ଟେକ୍ସଟାଇଲ୍ ପ୍ରକଳ୍ପ ପାଇଁ ଜମି ଇତ୍ୟାଦି। କିନ୍ତୁ ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ଓଡ଼ିଶାରେ ପେଟ୍ରୋକେମିକାଲ୍‌ ପ୍ରକଳ୍ପ ପାଇଁ ବିଦେଶରେ ରୋଡ୍‌ ସୋ’ କରିଥିଲେ ମଧ୍ୟ ଇଣ୍ଡିଆନ୍ ଅଏଲ୍‌ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ତାଇୱାନ ସରକାରଙ୍କର ପେଟ୍ରୋଲିୟମ୍ ଫାର୍ମ ସିପିସି କ‌େର୍ପାରେସନ୍ ଓଡ଼ିଶାରେ ୪୩ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜମି, ଜଳ, ବିଜୁଳି ଓ ପରିବହନ ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଉ ନାହାନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଚିଠି ‌େଲଖିଛନ୍ତି ତାହା ପ୍ରଚାର ସର୍ବସ୍ବ ବୋଲି ବିଜେଡି କହିଛି। ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକ ପାଇଁ ଗତ ୧୮ ବର୍ଷରେ ଅନେକ ଜମି ପ୍ରଦାନ କରିଛନ୍ତି। ଯେଉଁ ଜମି ଦକ୍ଷତା ବିକାଶ ଅନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି, ଆଜି ପର୍ଯ୍ୟନ୍ତ ତାହା ଉପରେ ଗୋଟିଏ ଇଟା ମଧ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରଧାନ ରଖି ପାରି ନାହାନ୍ତି। ଏହାର ଜବାବ କେନ୍ଦ୍ର ମନ୍ତ୍ରୀ ଦିଅନ୍ତୁ। ବାକ୍ୟ ଓ ପ୍ରଚାର ସର୍ବସ୍ବ ନ ହୋଇ ଯଦି ବିଜେପି ଓ କେନ୍ଦ୍ର ମନ୍ତ୍ରୀ କାର୍ଯ୍ୟରତ ରୁହନ୍ତେ, ତେବେ ନିଜର ସ୍ଥାଣୁତା ଏପରି ଲୋକଲୋଚନକୁ ଆସନ୍ତା ନାହିଁ।