ଓଡ଼ିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ: ଧର୍ମେନ୍ଦ୍ର

ଆମେରିକାରେ ଥିବା ଓଡ଼ିଆଙ୍କ ସହ କେନ୍ଦ୍ର ମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସିଂ

ଭୁବନେଶ୍ବର : କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡ଼ିଆଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଲୋଚନା କରିଛନ୍ତି। ବିଶ୍ବ ମହାମାରୀର ସବୁ ଅସୁବିଧା ଓ ଆହ୍ବାନ ମଧ୍ୟରେ ଭାରତ ଓ ଓଡ଼ିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ। ଏହି ସମ୍ଭାବନାର ରାସ୍ତାକୁ ଖୋଜି ବାହାର କରିବା ସହ ସମସ୍ତଙ୍କ ଉଦ୍ୟମରେ ରାଜ୍ୟର ଆର୍ଥିକ ପ୍ରଗତି ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ। ଏ ଦିଗରେ ଆମେରିକାରେ ଥିବା ଓଡ଼ିଆମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଆମାନେ ଭାରତ ଓ ବିଶ୍ବରେ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅଛନ୍ତି। ଓଡ଼ିଶା ପାଇଁ ବଡ଼ କାମ କରି ଓଡ଼ିଶାର ସେବା କରିବାର ଏହା ପ୍ରକୃଷ୍ଟ ସମୟ। ଓଡ଼ିଆ ଲୋକ ୱାସିଂଟନ୍‌ ଡିସିରେ ସିଜି ଭାବେ ଅବସ୍ଥାପିତ। କାଲିଫର୍ଣ୍ଣିଆର ସିଜି ଭାବେ ଓଡ଼ିଆ ଲୋକ ମଧ୍ୟ ଅଛନ୍ତି। ଆମେରିକାର ଅର୍ଥନୀତିରେ ଓଡ଼ିଆମାନଙ୍କର ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବଶାଳୀ ଭୂମିକା ରହିଛି। ଉପସାଗରୀୟ ଦେଶଗୁଡ଼ିକରେ ମଧ୍ୟ ଓଡ଼ିଆମାନେ ଆଗରେ ଅଛନ୍ତି। ଇତିହାସରେ ଓଡ଼ିଆ ଲୋକମାନେ ଦେଶବିଦେଶରେ ଏପରି ସୁବିଧାଜନକ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କେବେ ବି ନ ଥିଲେ। ଏବେ ସମୟ ଆସିଛି ମିଶି କରି ନୂଆ ଉଦ୍ୟମ କରିବା। କରୋନା ପରି ଘଡ଼ିସନ୍ଧି ମୂହୁର୍ତ୍ତରେ ନୂଆ ପ୍ରଚେଷ୍ଟା କରିବା ଓ ଆମ ରାଜ୍ୟକୁ ନୂଆ ଶିଖରକୁ ନେବା। ଓଡ଼ିଶା ପାଇଁ ଗୁରୁତ୍ବ ଦେଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ସବୁ ଆହ୍ବାନ ସତ୍ତ୍ବେ ରାଜ୍ୟରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ଭାରତ ସରକାର ଲୋକଙ୍କ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗରେ ଓଡ଼ିଶାର ବିକାଶ ହେବ।

ସମ୍ବନ୍ଧିତ ଖବର