ତୈଳ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ବର : ପାଞ୍ଚ ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆବୁଧାବିରେ ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ତୈଳ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ। ଆଜର୍‌ବାଇଜାନ୍‌ର ଉର୍ଜା ମନ୍ତ୍ରୀ ପରଭିଭ୍‌ ଶାହବାଜଭଙ୍କ ସହ ଭାରତୀୟ ତୈଳ କମ୍ପାନି ଦ୍ବାରା ଉର୍ଜା ବ୍ୟାପାରକୁ କିପରି ସୁଦୃଢ଼ କରାଯାଇପାରିବ, ସେ ଦିଗରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହା ବାଦ୍ ଆଜର୍‌ବାଇଜାନ୍‌ର ଅନ୍ବେଷଣ ଓ ଉତ୍ପାଦନ ଏବଂ ଏଲ୍‌ଏନ୍‌ଜି କ୍ଷେତ୍ରରେ ସହଯୋଗ କରିବା ତଥା ଭାରତୀୟ ପୁଞ୍ଜିନିବେଶ ଉପରେ ସମୀକ୍ଷା କରାଯାଇଥିଲା। ସେହିପରି ଥାଇଲାଣ୍ଡ୍‌ର ଶକ୍ତି ମନ୍ତ୍ରୀ ସୋନିଟାଟ୍‌ ସୋଣ୍ଟିଜୀରାୱଙ୍ଗଙ୍କୁ କେନ୍ଦ୍ର ମନ୍ତ୍ରୀ ଭେଟିବା ସହ ଭାରତ ଓ ଥାଇଲାଣ୍ଡ୍‌ ମଧ୍ୟରେ ପେଟ୍ରୋଲିୟମ୍ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ଜୈବ ଇନ୍ଧନ କ୍ଷେତ୍ରରେ ଥାଇଲାଣ୍ଡ୍‌ର ଅଗ୍ରଣୀ ସ୍ଥିତି ଏବଂ ଭାରତର ବିଶାଳ ଜୈବ ଇନ୍ଧନ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେବା ସହ ଏ ଦିଗରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା। ୟୁଏଇ ରାଷ୍ଟ୍ର ମନ୍ତ୍ରୀ ସୁଲତାନ ଅହମ୍ମଦ ଜାବରଙ୍କ ସହ ଇସ୍ପାତ କ୍ଷେତ୍ରରେ ସହଯୋଗ ନେଇ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଆବୁଧାବିସ୍ଥିତ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଞ୍ଜିନିୟର୍‌ ଇଣ୍ଡିଆ ଲିମିଟେଡ୍‌(ଇଆଇଏଲ୍‌)କୁ ପରିଦର୍ଶନ କରିଥିଲେ। ସେ କହିଥିଲେ, ଇଆଇଏଲ୍‌ କମ୍ପାନି ତୈଳ, ଗ୍ୟାସ୍ ଓ ପେଟ୍ରୋକେମିକାଲ୍‌ ଶିଳ୍ପକୁ କେନ୍ଦ୍ରରେ ରଖି ଟେକ୍ନୋଲୋଜି ଆଧାରରେ କାର୍ଯ୍ୟ କରୁଛି ଏବଂ ଭାରତ ତଥା ବିଦେଶରେ ଉର୍ଜା ଭିତ୍ତିଭୂମିକୁ ବିକଶିତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ସମ୍ବନ୍ଧିତ ଖବର