ଓଡ଼ିଶା ପର୍ଯ୍ୟଟନକୁ ନୂଆ ପରିଚୟ ଦେବ ଇକୋ ରିଟ୍ରିଟ୍‌: ଧର୍ମେନ୍ଦ୍ର

ବାଖ୍ୟାନ କେନ୍ଦ୍ର ବୁଲିଲେ, ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କଲେ
ପୁରୀ, ଚିଲିକା ଓ କୋଣାର୍କକୁ ମିଶାଇ ପର୍ଯ୍ୟଟନ ହବ୍‌ କରିବାକୁ ପରାମର୍ଶ

କୋଣାର୍କ : ଆଜି ଅପରାହ୍ଣରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣାର୍କ ଗସ୍ତରେ ଆସି ଇକୋ ରିଟ୍ରିଟ୍‌ ଉତ୍ସବ ପରିଦର୍ଶନ କରିବା ସହ ରାତ୍ରି ଯାପନ କରିଛନ୍ତି। ଏହି ଅବସରରେ ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ କର୍ମୀ କୋଣାର୍କ ଥାନା ଛକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ଶ୍ରୀ ପ୍ରଧାନ ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ଦ୍ବାରା ନିର୍ମିତ ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ୍‌ ଉତ୍ସବର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅଭିନବ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନକୁ ଏକ ନୂଆ ପରିଚୟ ଦେବ ବୋଲି ସେ କହିଥିଲେ। ସେହିପରି ପୁରୀ, ଚିଲିକା ଓ କୋଣାର୍କକୁ ମିଶାଇ ଏକ ବୃହତ ପର୍ଯ୍ୟଟନ ହବ୍‌ କରାଯାଇପାରିବ। ଏହା ଦ୍ବାରା ରାଜ୍ୟର ଦ୍ରୁତ ବିକାଶ ହେବ ଓ ବିଶ୍ବରେ ଓଡ଼ିଶାର ଭାଷା, କଳାସଂସ୍କୃତିର ପ୍ରଚାରପ୍ରସାର ହୋଇପାରିବ।

ଇକୋ ରିଟ୍ରିଟ୍‌ ସଂପର୍କରେ ସେ ସୂଚନା ପାଇବା ପରେ ଆଜି ସେଠାରେ ରାତ୍ରିଯାପନ ପାଇଁ ଆସିଥିବା ସୂଚନା ଦେଇଥିଲେ। ସିଏଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କଂଗ୍ରେସ ଦଳର ଏକ ହୀନ ରାଜନୈତିକ ପ୍ରୟାସ ବୋଲି କହିବା ସହ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ୍‌ର ସିଇଓ ସୁବ୍ରତ ବର୍ମା, ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଏସ୍‌ଆଇଏସ୍‌ ଓଡ଼ିଶା ଶାଖାର ସୁଶାନ୍ତ କୁମାର ସାହୁ, କୋଣାର୍କ ଇଣ୍ଡିଆନ୍‌ ଅଏଲ୍‌ ବାଖ୍ୟାନ କେନ୍ଦ୍ରର ପରିଚାଳକ ରାଜକିଶୋର ଦଳାଇ, ଆଶିଷ ପ୍ରଧାନ, ବିରଞ୍ଚି ଦେବ ମହାପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, କୋଣାର୍କ ମଣ୍ଡଳ ବିଜେପି ସଭାପତି ସୁକାନ୍ତ ନାୟକ ଓ ରଂଜିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର