ନିମାପଡ଼ା ଓ ଗୋପ‌େର କେନ୍ଦ୍ର ମନ୍ତ୍ରୀ

ପଲିଥିନ୍‌ ପାଇଁ ତହସିଲଦାରଙ୍କୁ ମାଡ଼

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଫନି’ ଦ୍ବାରା ପ୍ରଭାବିତ ନିମାପଡ଼ା ଓ ଗୋପ ଅଞ୍ଚଳ ଆଜି ପରିଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘର ଘର ବୁଲି ଶ୍ରୀ ପ୍ରଧାନ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ପଚାରି ବୁଝିଥିଲେ। ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥ‌ିଲେ। ଓଡ଼ିଶାର ପୁନଃନିର୍ମାଣ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ବାନ ଦେଇଥିଲେ। ‌ଏହି ଅବସରରେ ଶ୍ରୀ ପ୍ରଧାନ ସ୍ଥାନୀୟ ବିଡିଓଙ୍କ ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପିର ବରିଷ୍ଠ ନେତା ବିଭୁ ତରାଇ ଓ ପ୍ରଭାତୀ ପରିଡ଼ା ସାମିଲ ହୋଇଥିଲେ। ଗତ ତିନି ଦିନ ଧରି ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି।

ପଲିଥିନ୍‌ ପାଇଁ ତହସିଲଦାରଙ୍କୁ ମାଡ଼

ନିମାପଡ଼ା : ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତଙ୍କୁ ପଲିଥିନ୍‌ ବଣ୍ଟନ ବେଳେ ଆଜି ନିମାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ତହସିଲଦାର କମଳଜିତ ଦାଶ କର୍ମଚାରୀମାନଙ୍କୁ ଲଗାଇ ଏନ୍‌ଏସିର ବିଭିନ୍ନ ୱାର୍ଡରେ ପଲିଥିନ୍‌ ପାଇବା ପାଇଁ ହକ୍‌ଦାର ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରି ପଲିଥିନ ବଣ୍ଟନ କରିଛନ୍ତି। ତେବେ ଆଜି ଅପରାହ୍ନରେ ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ଦିପିରଣ୍ଟା ଗ୍ରାମର କେତେକ ଯୁବକ ତହସିଲଦାର ଶ୍ରୀ ଦାଶଙ୍କୁ ଗାଳି ଦେବା ସହ ମାଡ଼ ମାରିଥିବା ଏବଂ ତହସିଲ ଅଫିସ୍‌ ଗେଟ୍‌ରେ ଚାପି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଅଟକ ଯୁବକମାନେ କହିଛନ୍ତି ଯେ, କୋଠା ଘର ଥିବା ଲୋକମାନଙ୍କୁ ପଲିଥିନ୍‌ ଦିଆଯାଇଥିବା ବେଳେ ଯେଉଁମାନେ ପ୍ରକୃତରେ ପାଇବା କଥା ସେମାନଙ୍କୁ ମିଳୁନାହିଁ।

ସମ୍ବନ୍ଧିତ ଖବର