ଇସ୍ପାତ ଶିଳ୍ପ, ଅର୍ଥନୀତି ଅଭିବୃଦ୍ଧିର ସ୍ବପ୍ନ ଦେଖାଇଲେ ଧର୍ମେନ୍ଦ୍ର, ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର୍‌ରେ ପରିଣତ କରିବୁ

ରାଉରକେଲା : ସଂପ୍ରତି ଇସ୍ପାତ ଶିଳ୍ପ ଆହ୍ବାନମୂଳକ ପରିସ୍ଥିତି ଦେଇ ଗତି କରୁଛି। ତଥାପି ଭାରତୀୟ ଇସ୍ପାତ ଶିଳ୍ପକୁ ସୁସ୍ଥ ରଖିବା ଭାରତ ସରକାରଙ୍କ ପ୍ରମୁଖ ଦାୟିତ୍ବ। ସେଲ୍‌ କେମିତି ଅଧିକରୁ ଅଧିକ ବିକାଶକ୍ଷମ ହୋଇପାରିବ ସେ ନେଇ ପ୍ରୟାସ ଜାରି ରହିଛି। ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର୍‌ରେ ପରିଣତ କରିବାକୁ ଯୋଜନା କରାଯାଉଛି। ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ରାଉରକେଲାକୁ ଏକ ମାନ୍ୟୁଫାକ୍‌ଚରିଂ ହବ୍‌ରେ ପରିଣତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି। ଏହାଦ୍ବାରା ସ୍ଥାନୀୟ ଶିଳ୍ପ ଅଧିକ ଲାଭବାନ ହେବାସହ ରାଉରକେଲାର ଅର୍ଥନୀତିକୁ ଆହୁରି ମଜବୁତ କରିବ। ଏଭଳିଭାବେ ଦେଶରେ ଇସ୍ପାତ ଶିଳ୍ପର ବିକାଶଠାରୁ ଆରମ୍ଭ କରି ରାଉରକେଲା ଅର୍ଥନୀତି ଅଭିବୃଦ୍ଧିର ସ୍ବପ୍ନ ଦେଖାଇଛନ୍ତି କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ସ୍ଥାନୀୟ ହୋଟେଲ ‌ମେ’ ଫେୟାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଲେ, ସେଲ୍‌ର କ୍ଷମତା ଅଧିକ କରିବାକୁ ଭାରତ ସରକାର ଗତ ୫ ବର୍ଷରେ ବହୁ ପଦକ୍ଷେପ ନେଇଛନ୍ତି ଏବଂ ଆଗାମୀ ଦିନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମେ ସେଲ୍‌ ନିଜର ଆବଶ୍ୟକତା ପୂରଣ କରିବା ପରେ ୨୫ ପ୍ରତିଶତ ଅଧିକ ଉତ୍ପାଦନ କରିବାକୁ ସେଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଲ୍‌ ପାଖରେ ପ୍ରାୟ ୭୦ ମିଲିଅନ ଟନ୍‌ର ଲୋ’ଗ୍ରେଡ୍‌ ଆଇରନ ଫାଇନ୍ସ ଉପଲବ୍ଧ ଥିବାବେଳେ ଏହାକୁ ଭାଲ୍ୟୁ ଆଡିସନ କରି ବଜାରରେ ବିକ୍ରି କରାଯିବ। ଆଗାମୀ ଦେଢ଼ବର୍ଷ ଭିତରେ ସ୍ଥାନୀୟ ଖଣିଜକୁ କଞ୍ଚାମାଲ ଭାବେ ଉପଯୋଗ କଲେ ରାଉରକେଲାର ଅର୍ଥନୀତି ଦୁଇଗୁଣା ହୋଇପାରିବ।

ସମ୍ବନ୍ଧିତ ଖବର