ଭୁବନେଶ୍ବର : ରୁଷିଆ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ ରୁଷିଆ ଓ ଓଡ଼ିଶା ମଧ୍ୟରେ ସିଧାସଳଖ ବାଣିଜ୍ୟିକ ସମ୍ପର୍କର ପଥ ପରିଷ୍କାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରୁଷିଆର ଡେଭଜଡ଼ା ଜାହାଜ ଶିଳ୍ପ ପରିଦର୍ଶନ କରିବା ପରେ ରୋଜନେଫ୍ଟର୍ ସିଇଓଙ୍କ ସହ ଆଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି, ରୁଷିଆର ଭ୍ଲାଡିଭୋଷ୍ଟୋକ ଓ ଓଡ଼ିଶାର ପାରାଦୀପ ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ। ରୁଷିଆରୁ ଅଶୋଧିତ ତୈଳ ଓ କୋକିଂ କୋଲ ଭ୍ଲାଡିଭୋଷ୍ଟୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ।ଏହା ଦ୍ବାରା ରୁଷିଆ ଓ ଓଡ଼ିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ।
ରୁଷିଆର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କୋଇଲା କ୍ଷେତ୍ରରେ ରୁଷିଆ ସହ ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲର ସହାୟତା ଯୋଗାଇ ଦେବା ସହ ଦେଶର ଚାହିଦାକୁ ପୂରଣ କରିପାରିବ। ଏହି ଅବସରରେ ରୁଷିଆର ପୂର୍ବାଞ୍ଚଳ ଓ ଆର୍କେଟିକ୍ର ବିକାଶ ପାଇଁ ଦାୟିତ୍ବ ନେଇଥିବା ରୁଷିଆର ପ୍ରଥମ ଉପମନ୍ତ୍ରୀ ସର୍ଗେ ତୃତ୍ସେଭ୍ଙ୍କ ସହ ଭାରତ ଓ ରୁଷିଆ ମଧ୍ୟରେ ଉର୍ଜା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବେ କୋକିଂ କୋଲ୍ ଓ ଅନ୍ୟାନ୍ୟ ଉର୍ଜାର ସ୍ରୋତ ଉପରେ ଗୁରୁତ୍ବାରୋପ କରିଥିଲେ। ଋଷିଆନ୍ ରେଳର ଉପମୁଖ୍ୟ ବାଦିମ୍ ମିଖାଲୋଭ୍ଙ୍କୁ ଭେଟି ଶ୍ରୀ ପ୍ରଧାନ କୋକିଂ କୋଲ୍ର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭୋଷ୍ଟୋଚିନେ ଇଣ୍ଟର୍ମୋଡାଲ କଣ୍ଟେନର୍ ବନ୍ଦରର ବରିଷ୍ଠ ଅଧିକାରୀଙ୍କୁ ଭେଟି କେନ୍ଦ୍ର ମନ୍ତ୍ରୀ ବନ୍ଦର ସମ୍ପ୍ରସାରଣ ଓ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲ୍କୁ ସୁରକ୍ଷିତ କରିବା ନିମନ୍ତେ ବିଭିନ୍ନ ପଦ୍ଧତ୍ତି ଉପରେ ଚର୍ଚ୍ଚା କରିଥିଲେ।
ଶ୍ରୀ ପ୍ରଧାନ ଋଷିଆନ୍ ଷ୍ଟେଟ୍ ଜିଓଗ୍ରାଫିକାଲ୍ କମ୍ପାନି(ଆର୍ଓଏସ୍ଜିଇଓ)ର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ୍, ତୈଳ, ଗ୍ୟାସ୍ ଓ ମୂଲ୍ୟବାନ ଧାତୁ ତଥା ଲିଥିୟମ୍ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ସେହିପରି ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳୀ ଓ କୋଇଲା କମ୍ପାନି ରୁଷିଆର ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ କାରବାର ଉପରେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନଙ୍କ ଏହି ଗସ୍ତରେ ତାଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ଓଏନ୍ଜିସିର ସିଏମ୍ଡି, ସେଲ୍ର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।