ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ କଲେ ଧର୍ମେନ୍ଦ୍ର, ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

ଭୁବ‌େନଶ୍ବର : ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ଏହି ଗସ୍ତରେ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ରାଜ୍ୟର ଶିଳ୍ପ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରି ସାମିଲ ହୋଇଥିଲେ। ନିଆଁକୁ ଆୟତ୍ତ କରିବା ଓ ତୈଳକୂପକୁ ବନ୍ଦ କରିବା ପାଇଁ ଚାଲିଥିବା ପରିଚାଳନା କାର୍ଯ୍ୟକୁ ସେମାନେ ଅନୁଧ୍ୟାନ କରିଥି‌େଲ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ରିଲିଫ କ୍ୟାମ୍ପରେ ଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ପ୍ରଭାବିତ ପରିବାର ଲୋକଙ୍କୁ ଭେଟିଥିଲେ । ସେମାନଙ୍କ ଜୀବନଜୀବିକାକୁ ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ବାଦ୍ ଶ୍ରୀ ପ୍ରଧାନ ବାଗଜାନ ଗାଁ ମିଲନଜ୍ୟୋତି ଯୁବକ ସଂଘକୁ ଭେଟି ସେମାନଙ୍କ ସହ ବିଚାରବିମର୍ଷ କରିଥିଲେ। ଗତକାଲି ଶ୍ରୀ ପ୍ରଧାନ ଆସାମ ରାଜ୍ୟକୁ ଗସ୍ତ କରିବା ସହ ସେଠାକାର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏହି ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କରିଥିଲେ ।

ସମ୍ବନ୍ଧିତ ଖବର