ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନ ଜଣାଇଛନ୍ତି। ଟୁଇଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ଆମ ଦଳର ନିର୍ବାଚନ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି। ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍‌ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ନିର୍ବାଚନ ଗଣତନ୍ତ୍ରରେ ଏକ ନିରନ୍ତର ପ୍ରକ୍ରିୟା। ଆମ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭାରତକୁ ଗୁରୁତ୍ୱ ତଥା ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ଓଡ଼ିଶାକୁ ଆସୁଛି। ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ ‘ସବକା ସାଥ-ସବକା ବିକାଶ’କୁ ମୂଳମନ୍ତ୍ର କରିଥିବା ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିବା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ତୃଣମୂଳସ୍ତରରେ ଭୋଟରଙ୍କୁ ଆକୃଷ୍ଟ କରିବାରେ  ସଂପୂର୍ଣ୍ଣ ବିଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତ ହେବନାହିଁ। କାରଣ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି  ୪୨ଟି ଜୋନ‌ରେ ବିଜୟୀ ହୋଇ ପାରିଛି। ସେହିଭଳି ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂ‌ଗ୍ରେସ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ରହିଛି।  ସ୍ବାଧୀନ ପ୍ରାର୍ଥୀ ୩ଟି ଓ ଅନ୍ୟାନ୍ୟ ଦଳ ୪ଟି ଜୋନରେ ବିଜୟୀ ହୋଇଛନ୍ତି।