ବିକାଶକୁ ସ୍ବାଗତ କଲେ ଧର୍ମେନ୍ଦ୍ର, ସରକାର ଯତ୍ନଶୀଳ ହେବାକୁ ଦେଲେ ପରାମର୍ଶ

ପୁରୀ : ଏକବିଂଶ ଶତାବ୍ଦୀରେ ବିଶ୍ବ ବଦଳୁଛି, ତେଣୁ ଆଧୁନିକତା ଲୋଡ଼ା। ସମୟ ସହ ଆମକୁ ତାଳ ଦେଇ ଚାଲିବାକୁ ପଡ଼ିବ। ବିଶେଷ କରି ଭାରତର ପ୍ରମୁଖ ଧର୍ମପୀଠ ପୁରୀର ବିକାଶ ପ୍ରକ୍ରିୟାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀରେ ସଂପ୍ରତି ମଠ ଉଚ୍ଛେଦ ପ୍ରକ୍ରିୟା ଜୋ‌ରଦ‌‌ାର୍‌ ଚାଲିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ମନ୍ତବ୍ୟ ତାଙ୍କ ଦଳର ଆଭିମୁଖ୍ୟ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ପବିତ୍ର ଗୁରୁ ଦିବସରେ ଶ୍ରୀ ପ୍ରଧାନ ଆଜି ପୁରୀ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତାଳାପ କରିଥିଲେ। ଉଚ୍ଛେଦ ସଂପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ, ପୁରୀର ବିକାଶକୁ ସେ ସ୍ବାଗତ କରୁଛନ୍ତି। ଏକବିଂଶ ଶତାବ୍ଦୀରେ ବିଶ୍ବ ବଦଳୁଥିବାରୁ ସେହି ଅନୁସାରେ ସମସ୍ତଙ୍କୁ ପରିବର୍ତ୍ତନ ଧାରାରେ ସାମିଲ ହେବାକୁ ପଡ଼ିବ। ତେବେ ସରକାରଙ୍କ ଯୋଜନାକୁ ଯେଉଁମାନେ କାର୍ଯ୍ୟକାରୀ କରୁଛନ୍ତି ସେମାନେ ଜନଗଣଙ୍କ ପ୍ରତି ଯତ୍ନଶୀଳ ଓ ସମ୍ବେଦନଶୀଳ ହେବା ଉଚିତ। ରାଜ୍ୟ ସରକାର ଏ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ସହ ଏଥିରେ ଗଜପତି ମହାରାଜଙ୍କ ମଧ୍ୟ ସହଭାଗିତ‌ା ରହିବା ଦରକାର। ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ମଧ୍ୟ ଏଥି‌ରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏ ପ୍ରକାର ମନ୍ତବ୍ୟ ପରେ ପୁରୀର ବିକାଶକୁ ନେଇ ବିଜେପିର ଏଜେଣ୍ଡା ସ୍ପଷ୍ଟ ହୋଇଛି। ସିଧାସଳଖ ନ‌ହେଲେ ବି ପରୋକ୍ଷରେ ଉଚ୍ଛେଦକୁ ହଁ କରିଛି ଦଳ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭ‌ାରୁ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ସମାନ କଥା ଦୋହରାଇଛନ୍ତି। ସମ୍ବିତ ଆଜି ବଡ଼ଆଖଡ଼‌ା ମଠରେ ପହଞ୍ଚି ମହନ୍ତଙ୍କ ସହିତ ଆଲୋଚନା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। କହିଥିଲେ, ବିକାଶକୁ ବିଜେପି କେବେ ବି‌ରୋଧ କରେ ନାହିଁ। ପୁରୀର ବିକାଶ ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ତେବେ ବିକାଶ ଆଳରେ ସାଧାରଣ ଲୋକ, ବ୍ୟବସାୟୀ କାହାର କ୍ଷତି ନ ହେଉ। ଯେଉଁଭଳି ଢଙ୍ଗରେ ଉଚ୍ଛେଦ କରାଯାଉଛି, ସେଭଳି ନକରି ଉଚ୍ଛେଦ ପୂର୍ବରୁ ଥଇଥାନକୁ ଗୁରୁତ୍ବ ଦିଆଯାଉ।

ସୂଚନାଯୋଗ୍ୟ, ୫ ଦିନ ତଳେ ପୁରୀରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରାଯିବ ବୋଲି ସୂଚନା ଦେଇଥିଲେ। ମାତ୍ର ପରେ ଦଳ ଏ ପ୍ରସଙ୍ଗ‌ରେ ନିରବ ରହିଥିଲା। ସେପଟେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ବୋଲି ମନ୍ତବ୍ୟ ଦେଇଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବୟାନ ପୁରୀର ବିକାଶକୁ ତାଙ୍କ ଦଳ ସମର୍ଥନ କରୁଥିବା ସୂଚାଇ ଦେଇଛି।

ସମ୍ବନ୍ଧିତ ଖବର