ଚାଷୀ ପ୍ରସଙ୍ଗ: ଧର୍ମେନ୍ଦ୍ର-ଦାମ ବାକ୍‌ଯୁଦ୍ଧ

ଭୁବନେଶ୍ୱର/ଜଗତସିଂହପୁର : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ପୁଣି ଥରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ନାମ ନ ନେଇ କଠୋର ଭାଷାରେ ସମାଲୋଚନା କରିଥିବା ବେଳେ ଏହାର ପ୍ରତିଜବାବ ବି ତାଙ୍କୁ ମିଳିଛି।

ସମବେଦନା ନ ଜଣାଇ ଚାଷୀଙ୍କ କଟା ଘା’ରେ ଚୂନ ଲଗାଇଲା ଭଳି ଦାୟିତ୍ୱହୀନ ବ୍ୟବହାର ନ କରିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟରେ ପାଖାପାଖି ୯ଜଣ ଚାଷୀ ଦୁଃଖଦ ଆତ୍ମହତ୍ୟା କରିବା ଭଳି ଘଟଣା ଲୋକଲୋଚନକୁ ଆସିଛି। ଏମାନଙ୍କ ମଧ୍ୟରେ ବୃନ୍ଦା ସାହୁ ବି ଅଛନ୍ତି। ହେଲେ ସେ ଋଣ ନେଇ ନ ଥିଲେ, ଆମେ କେମିତି ସାହାଯ୍ୟ କରିବୁ ବୋଲି ସରକାରଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ। କ୍ଷତିପୂରଣ ପାଇଁ ଚାଷୀଙ୍କୁ ଋଣ କରିବା ଜରୁରି କି ବୋଲି ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି । ବୃନ୍ଦା ସାହୁ ସରକାରୀ ବ୍ୟାଙ୍କରୁ ଋଣ ନେଇ ନ ଥିଲେ । ହାତ ଉଧାରି ନେଇଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ସେହିପରି ବୃନ୍ଦା ସାହୁ ବିଜେପିର କି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଯଦି କୌଣସି ଚାଷୀ ବିଜେପିର ହୁଏ ତା ପ୍ରତି ସରକାରଙ୍କ ଦାୟିତ୍ୱ ଅଛି ନା ନାହିଁ ବୋଲି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ କୃଷିମନ୍ତ୍ରୀ ସହଜରେ ହଜମ କରିପାରି ନାହାନ୍ତି। କହିଛନ୍ତିି, ଚାଷ ଓ ଚାଷୀଙ୍କ ସଂପର୍କରେ ମନ୍ତବ୍ୟ ଦେବାକୁ ବିଜେପିର ଅଧିକାର ନାହିଁ। ପାରାଦୀପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ରାଉତ କହିଲେ ଯେ ଚାଷ ସମ୍ପର୍କରେ ଧର୍ମେନ୍ଦ୍ରଙ୍କର ଆଦୌ ଜ୍ଞାନ ନାହିଁ। ନିଜର ଓ ତାଙ୍କ ଦଳର ପ୍ରଚାର କରିବା ପାଇଁ ଏହାକୁ ନେଇ ରାଜନୀତି କରୁଛନ୍ତି। ବୃନ୍ଦାଙ୍କ ମୃତ୍ୟୁ ଘଟଣାର ରାଜନୀତିକରଣ ନ କରି ତାଙ୍କର କେମିତି ମୃତ୍ୟୁ ହେଲା ସେ ସମ୍ପର୍କରେ ବିଜେପି ଅନୁସନ୍ଧାନ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମନ୍ତ୍ରୀ ଶ୍ରୀ ରାଉତ ବୃନ୍ଦାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ନୁହେଁ ବୋଲି କହିଥିଲେ। ମନ୍ତ୍ରୀ କହିଥିଲେ, ବୃନ୍ଦା ଚାଷ ପାଇଁ ବ୍ୟାଙ୍କରୁ କିଛି ଋଣ ନେଇନାହାନ୍ତି। ସେ ୧୬ ଏକର ଜମିରେ ଚାଷ କରିଥିବା ବେଳେ ୬ ଏକର ଜମିରେ ଚକଡ଼ା ଲାଗିଥିଲା। ସେଥିରୁ ୧୮ ଡେସିମିଲ ଜମିରେ ସେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର