ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ

ଭୁବନେଶ୍ବର:  ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ସହ ବିଭିନ୍ନ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ । ଏହି ବୈଠକରେ ଓଡ଼ିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ନିଆଯାଉ । ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡ଼ିଶା ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଏହାଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ । ଏହି ସୀମା ବିବାଦ ବିଷୟର ଗୁରୁତ୍ୱକୁ ଅଧିକ ଧ୍ୟାନରେ ରଖି ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସୂଚାଇଛନ୍ତି । ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶା ନିଜ ପଡ଼ୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟ ଗୁଡ଼ିକମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିପାରିବ । ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟମାନଙ୍କ ମଧ୍ୟରେ ଭାଇଚାରା ଦୃଷ୍ଟିରେ ଓଡ଼ିଶା ଏହି ସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ । ଓଡ଼ିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନହୁଏ ତାହାକୁ ସୁନିଶ୍ଚିତ କରିବା ସହ ଆବଶ୍ୟକତା ପଡ଼ିଲେ ରାଜ୍ୟ ଏହି ବିବାଦକୁ ସମାଧାନ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରିବା ଉଚିତ ।

ଶ୍ରୀ ପ୍ରଧାନ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଂଚାୟତ ଅନ୍ତର୍ଗତ ସୁନାବେଡ଼ା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ପୋଖରୀ ଖୋଳିଥିବା ଜଣାପଡ଼ିଛି । ଏହି ପୋଖରୀ ଖୋଳାକୁ ଓଡ଼ିଶା ଗ୍ରହଣ କରୁନାହିଁ । ଏହି ଘଟଣାର ପ୍ରତିବାଦ କରି ଆନ୍ଧ୍ରପ୍ରଦେଶ ପାର୍ଶ୍ବରେ ଥିବା ପଟାଙ୍ଗୀ-ଆର୍କୁ ରାସ୍ତାକୁ ସ୍ଥାନୀୟ ଗ୍ରାମବାସୀମାନେ ଅବରୋଧ କରିଦେବା ପରେ ଏହି ମାମଲା ବଢିଛି । ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ଦ୍ୱାରା ଏକାପାଖିଆ ଭାବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ଖନନ କରାଯାଇଥିଲା ।

ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ସହ ସୀମା ସେୟାର କରୁଛି । ଐତିହାସିକ, କାଟୋଗ୍ରାଫିକ୍ ଓ ଭୌଗୋଳିକ କାରଣରୁ ଓଡ଼ିଶାର ଏହି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ତଥା ଜଳ ବିବାଦର ଏକ ଦୀର୍ଘ ଇତିହାସ ରହିଛି ।
ଓଡ଼ିଶା ରାଜ୍ୟ ଗଠନ ହେବା ପାଇଁ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହିତ ଏହି ସମୟରେ ଅନେକ କଷ୍ଟ ଦେଖିଛି ।

ତେବେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ମାତ୍ର ଏହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ସେ ସମୟରେ ଅନେକ ଓଡ଼ିଆ ଭାଷାଭାଷୀ ଗାଁ ମାଡ୍ରାସ, ବିହାର ଏବଂ ବଙ୍ଗାଳ ପ୍ରଦେଶର ସୀମା ମଧ୍ୟରେ ରହିଯାଇଥିଲା । ସ୍ୱାଧୀନୋତ୍ତର ଭାରତର ପ୍ରାରମ୍ଭରେ ହୋଇଥିବା ଓଡ଼ିଶା ପୁନଃଗଠନର ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ ସମେତ ୨୭ଟି ପ୍ରିନ୍ସଲି ଷ୍ଟେଟ୍ କିମ୍ବା ଗଡ଼ଜାତ ଓଡ଼ିଶା ସହ ମିଶିଥିଲା ଏବଂ ୧୯୫୧ ମସିହାରେ ମୟୂରଭଞ୍ଜ ମଧ୍ୟ ଏହି ଧାରାରେ ସାମିଲ ହୋଇଥିଲା । ସ୍ୱାଧୀନ ଭାରତର ପାଞ୍ଚଦଶନ୍ଧି ମଧ୍ୟରେ ଆନ୍ଧ୍ରପ୍ରଦେଶ ୧୯୫୬ ମସିହାରେ ଗଠନ ହୋଇଥିଲା ଏବଂ ୨ ହଜାର ମସିହାରେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ରାଜ୍ୟ ଗଠନ କରାଯାଇଥିଲା, ଯାହାର ଓଡ଼ିଶା ସହିତ ସୀମା ବିବାଦ ରହିଥିଲା । ପୂର୍ବ ସୀମା ବିବାଦରୁ ଯାହା ଜଣାପଡ଼େ ଯେ, ଜମିର ସଠିକ୍ ଚିତ୍ରଣରୁ ଉପୁଜୁଥିବା ବିବାଦ ବସବାସ କରୁଥିବା ଲୋକଙ୍କ ସମସ୍ୟାକୁ ଲୁଚାଇ ଦେଇଥାଏ । ଏହି ପରିସ୍ଥିତିର ସାମଗ୍ରିକ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ସୀମାର ଉଭୟ ପାଶ୍ୱର୍ରେ ରହୁଥିବା ଲୋକଙ୍କ ବିକାଶ ତଥା ଭିତ୍ତିଭୂମି ଆହ୍ୱାନ ଯଥା ଦୁର୍ଗମ ଅଂଚଳରେ ଉତ୍ତମ ସଂଯୋଗ ସ୍ଥାପନା ସହ ଭିତ୍ତିଭୂମି ଯୋଗାଇବା, ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଏବଂ ନକ୍ସଲ ସମସ୍ୟାକୁ ମିଳିତଭାବେ ଦମନ କରିବା ଦିଗରେ ଧ୍ୟାନ ଦେବା ଉଚିତ୍ ।
ସୀମାନ୍ତ ଅଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ରୋଜଗାର ତଥା ସାମଗ୍ରୀ ପରିବହନ ଭଳି ସାମାଜିକ-ଅର୍ଥନୈତିକ ବାସ୍ତବତାକୁ ପ୍ରଶଂସା କରିବା ମଧ୍ୟ ଆବଶ୍ୟକ । ସୀମା ବିବାଦ ଫଳରେ ଏହାର ପ୍ରଭାବ ଏହି ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ଉପରେ ରହୁଛି । ତେବେ କାଗଜରେ ସୀମା ସମ୍ପୂର୍ଣ୍ଣ ନିର୍ଦ୍ଧାରିତ ଥିବା ମନେହୁଏ କିନ୍ତୁ ସୀମାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସାଂସ୍କୃତିକ, ସାମାଜିକ ନୀତି, ଭାଷାର ସମ୍ପର୍କ ରହୁଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

 

 

ସମ୍ବନ୍ଧିତ ଖବର

Comments are closed.