୪ ଜିଲ୍ଲାରେ ୫୫୦ କୋଭିଡ୍‌ ଶଯ୍ୟା କରିବ ଏମ୍‌ସିଏଲ୍‌

କୋଭିଡ୍‌ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ପତ୍ର ଲେଖିଥିଲେ ଧର୍ମେନ୍ଦ୍ର

ଆବଶ୍ୟକ ବନ୍ଦୋବସ୍ତ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଲେ କୋଇଲା ମନ୍ତ୍ରୀ

ଭୁବନେଶ୍ବର : ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫୦ଟି ଶଯ୍ୟା ସହ ଅକ୍ସିଜେନ୍ ସଂଯୁକ୍ତ ବେଡ୍‌, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବ ମହାନଦୀ କୋଲ୍‌ଫିଲ୍‌ଡ୍‌ ଲିମିଟେଡ୍‌(ଏମ୍‌ସିଏଲ୍‌)। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ମୁତାବକ ଏମ୍‌ସିଏଲ୍‌କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। କରୋନା ମହାମାରୀ ଦ୍ୱିତୀୟ ଲହରର ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ନିର୍ମାଣ ପାଇଁ ଶ୍ରୀ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ଆହୁରି ଦର୍ଶାଇଥିଲେ ଯେ ଏମ୍‌ସିଏଲ୍ ଓଡ଼ିଶାରେ କୋଭିଡ୍ ବିରୋଧୀ ଲଢ଼େଇରେ ବ୍ୟାପକ ଯୋଗଦାନ କରିଆସୁଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଏମ୍‌ସିଏଲ୍‌ ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୨୦୦ ଶଯ୍ୟାକୁ ଆର୍ଥିକ ସହାୟତା ଯୋଇ ଦେଇ ଆସୁଛି। ତାଳଚେରଠାରେ ମଧ୍ୟ ଅନୁରୂପ ଭାବରେ ଏହି ସୁବିଧା ଯୋଗାଉଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଏବଂ ଲଖନପୁର, ସୁନ୍ଦରଗଡ଼ର ବସୁନ୍ଧରା, ସମ୍ବଲପୁରସ୍ଥିତ ଏମ୍‌ସିଏଲ୍‌ର ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ୍‌ କେୟାର ସେଣ୍ଟର୍‌ ପ୍ରତିଷ୍ଠା କରି ଲୋକଙ୍କୁ ସୁବିଧା ପ୍ରଦାନ କରୁଛି। ଜିଲ୍ଲା ପ୍ରଶାସନ, ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଏବଂ ସାମାଜିକ ସଂଗଠନ ଗୁଡ଼ିକୁ ଏମ୍‌ସିଏଲ୍ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଅକ୍ସିଜେନ୍‌, ପିପିଇ କିଟ୍ ଏବଂ ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରି ଆସୁଛି। ଏହା ସହ ୧୪୦ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶାରେ କୋଭିଡ୍‌-୧୯ ପରିଚାଳନା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଉଥିବାରୁ ଶ୍ରୀ ପ୍ରଧାନ ଏମ୍‌ସିଏଲ୍‌କୁ ପତ୍ର ଯୋଗେ ପ୍ରଶଂସା କରିଥିଲେ। ଏହି ସଙ୍କଟ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର