ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ କ୍ୟ‌ାବିନେଟ୍ ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରିୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖି ଏ ସମ୍ବନ୍ଧରେ ତାଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ନେଇ ଶିକ୍ଷାବିତ୍‌, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଅସନ୍ତୋଷ ଥିବା ନେଇ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇବା ସହ ଏହି ମାମଲାରେ ହସ୍ତକ୍ଷପେ କରିବାକୁ ଅନୁରୋଧ କରିଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାର ସ୍ୱାୟତ୍ତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରାଯିବା ନେଇ ରାଜ୍ୟର ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ପ୍ରଫେସର ଏମ.ସି ଦାସ ଏବଂ ପ୍ରଫେସର ଜି.ବି.ଏନ୍ ଚଇନିଙ୍କ ଦ୍ୱାରା ତାଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପଠାଇବା ସହ ସେମାନେ ଉଲ୍ଲେଖ କରିଥିବା ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି ।

publive-image

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ବିଶ୍ୱବିଦ୍ୟାଳୟମାନଙ୍କର ସ୍ୱାୟତ୍ତତାକୁ ସଙ୍କୁଚିତ କରିବା ପାଇଁ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ -୧୯୮୯କୁ ପରିବର୍ତନ କରିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ କରି ବିଶ୍ୱବିଦ୍ୟାଳୟଗୁଡିକୁ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଅଣାଯାଇଛି ।

publive-image

ସିଣ୍ଡିକେଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କ୍ଷୁର୍ଣ୍ଣ କରି ଏହାକୁ ଅମଲା କେନ୍ଦ୍ରିକ କରିବା ପାଇଁ ରାଜ୍ୟ ସରକାର ତାଙ୍କ ଅଧ୍ୟାଦେଶରେ ବ୍ୟବସ୍ଥା କରିଥିବା କୁଳପତି ସର୍ଚ୍ଚ କମିଟିରେ ସରକାରଙ୍କ ପ୍ରତିନିଧି ରହିବାର ବ୍ୟବସ୍ଥା ଜବରଦସ୍ତି ଲଦିଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅଫିସର ରେଜିଷ୍ଟରଙ୍କୁ ସିଣ୍ଡିକେଟର ସମ୍ପାଦକ କରାଯିବାର ବ୍ୟବସ୍ଥା କରାଯାଇଛି ।

ପ୍ରଫେସର, ଆସିଷ୍ଟାଂଟ ପ୍ରଫେସର ଓ ଫାକଲଟି ଚୟନ ପ୍ରକ୍ରିୟାରେ ବିଶ୍ୱବିଦ୍ୟାଳୟ ଭୂମିକାକୁ ଶେଷ କରି ଓଡିଶା ଲୋକସେବା ଆୟୋଗକୁ ଏହି ଦାୟିତ୍ୱ ଦିଆଯାଇଛି । ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ । ଏହାସହ ଅଣ ଶିକ୍ଷକ ପଦରେ ଚାକିରି ନେବା ପାଇଁ ଷ୍ଟାଫ୍ ସିଲେକକ୍ସନ କମିଶନକୁ ଦାୟିତ୍ୱ ନେଇ କୁଳପତିଙ୍କ ନିୟନ୍ତ୍ରିତ ବ୍ୟବସ୍ଥାକୁ ସମାପ୍ତ କରାଯାଇଛି ।

ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରିବାର ପରମ୍ପରାକୁ ଶେଷ କରାଯାଇଛି । ଓଡିଶାରେ ଅଡିନାନ୍ସ ମାଧ୍ୟମରେ କରାଯାଇଥିବା ଏହି ପରବର୍ତନ ଅନ୍ୟ ରାଜ୍ୟର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ଶିକ୍ଷା ସାମ୍ବିଧାନିକ ବ୍ୟବସ୍ଥାରେ ମିଳିତ ତାଲିକାରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ଆଇନ କେନ୍ଦ୍ର ନୀତିର ବିରୁଦ୍ଧାଚରଣ କରିପ।ରିବ ନାହିଁ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଆଇନଗତ ଶିକ୍ଷା ବ୍ୟବସ୍ଥା ଅନୁସାରେ ଆନ୍ଧ୍ର ଉସମାନିଆ ୟୁନିଭରସିଟି ଶିକ୍ଷକ ସଂଘ ବନାମ ଆନ୍ଧ୍ର ପ୍ରଦେଶ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ସେ ରାଜ୍ୟର ଏପରି ଆଇନକୁ ଖାରଜ କରିଥିବା ପରିପ୍ରେକ୍ଷୀରେ ଓଡିଶାର ଏହି ଆଇନ କୋର୍ଟରେ ଖାରଜ ହେବାର ସମ୍ଭାବନା ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଜାତୀୟ ଶିକ୍ଷାନୀତି-୨୦୨୦ର ଶିକ୍ଷାନୁଷ୍ଠାନ ମାନଙ୍କୁ ସ୍ୱାୟତତା ମାଧ୍ୟମରେ ଶିକ୍ଷା ଅନୁସନ୍ଧାନକୁ ଆଗକୁ ବଢାଇବା ପାଇଁ ନୀତିର ବିରୋଧାଚରଣ କରୁଛି ବୋଲି ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବିଶ୍ୱବିଦ୍ୟାଳୟ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି ।