ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର : ଭଦ୍ରକରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ତୁରନ୍ତ ଜମି ମିଳୁ

ଭୁବନେଶ୍ବର : ଭଦ୍ରକରେ ଇଣ୍ଡିଆନ୍ ଅଏଲ୍‌ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ତୁରନ୍ତ ୭୫ ଏକର ଜମି ଯୋଗାଇ ଦେବା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ଚିଠିରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ୍ ଶିଳ୍ପର ପ୍ରବେଶ ଦ୍ବାର ହେବାକୁ ଲାଗିଛି। ପାରାଦୀପ ତୈଳ ବି‌େଶାଧନାଗାରରୁ ବାହାରୁଥିବା ପଲିଷ୍ଟର୍, ଏମ୍‌ଇଜି ଓ ପିଟିଏ ପରି ଉତ୍ପାଦ ବ୍ୟବହାରରେ ପଲିଷ୍ଟର୍ ଆଧାରିତ ବୟନ ଓ ବସ୍ତ୍ରଶିଳ୍ପର ବ୍ୟାପକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ‌େଦଖି ଇଣ୍ଡିଆନ୍ ଅଏଲ୍‌ ତରଫରୁ ୧୯୭୧ କୋଟି ଟଙ୍କା ବ୍ୟୟବରାଦରେ ଭଦ୍ରକରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ଯୋଜନା କରାଯାଇଛି। ମୂଳ ପ୍ରକଳ୍ପ ହେଲେ ଏହି କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପରେ ୨୫୦୦ କୋଟି ଟଙ୍କା ପୁଞ୍ଜିନିବେଶ ସହ ୨୫ରୁ ୩୦ ହଜାର ଲୋକଙ୍କର ରୋଜଗାର ସୃଷ୍ଟିର ସମ୍ଭାବନା ତିଆରି ହେବ। ଏହି ପ୍ରକଳ୍ପ ରାଜ୍ୟର ଶିଳ୍ପ ମାନଚିତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ। ଏଥିରେ ପ୍ରଚୁର ମାନବ ସମ୍ବଳର ଆବଶ୍ୟକତା ଥିବାରୁ ଭଦ୍ରକ ପୂର୍ବ ଭାରତର ସୁରଟ ହୋଇପାରିବ। ଯଦି ରାଜ୍ୟ ସରକାର ପ୍ରକଳ୍ପ ପାଇଁ ସହଯୋଗର ହାତ ନ ବଢ଼ାନ୍ତି, ତେବେ ରାଜ୍ୟ ଏକ ବଡ଼ ସୁଯୋଗକୁ ହାତଛଡ଼ା କରିବ। ପ୍ରକଳ୍ପ ପାଇଁ ୨୦୧୭ ନଭେମ୍ବରରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ଭାବେ ୩୫ ଏକର ଜମି ଆବଶ୍ୟକ ବୋଲି ଆକଳନ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ୭୫ ଏକର ଜମିର ଆବଶ୍ୟକ ଥିବା ଆକଳନ କରାଗଲା। ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଇପିକଲ୍‌ ପାଖରେ ଆବେଦନ କରାଯାଇଥିଲା। କିନ୍ତୁ ଏ ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଯୋଗା‌େଯାଗ କରାଯାଉଥିଲେ ବି ଜମି ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର