କୋଟିଆ ବିବାଦ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବ ଦେଲେ

ଭୁବନେଶ୍ବର: ଓଡ଼ିଶାର ଗାଁ ଉପରେ ଆନ୍ଧ୍ର ଆଖି ପକାଇଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କୋଟିଆକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷ ଧରି ଲାଗି ରହିଛି। ଏ ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବୋଧହୁଏ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ । ଏହି ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭାଇଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡ଼ି ରଖିବାକୁ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନାହୁଁ । ଏବେ ଯେତେବେଳେ ଆନ୍ଧ୍ର ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଛି ସେତେବେଳେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ଆଗେଇ ଆସିବାକୁ କହିଛନ୍ତି ଧର୍ମେନ୍ଦ୍ର ।

Image result for dharmendra-pradhans-tweet-over-kotia

 

ଓଡ଼ିଶାର ବିଭିନ୍ନ ଗାଁ ଉପରେ ଆନ୍ଧ୍ର ନଜର ପକାଇବା ସହ ନିର୍ବାଚନ କରିବାକୁ ଆଗେଇ ଆସିଥିବା ବେଳେ ଆଜି କୋଟିଆ ପାଇଁ କିଛି ଯୋଜନାର ଶୁଭାରମ୍ଭ ସହ ଖୁବଶୀଘ୍ର କୋଟିଆକୁ ଆସି ଏହାକୁ ଆଦର୍ଶ ପଞ୍ଚାୟତ କରିବେ ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବୀନ କହିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ କୋଟିଆ ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ଆଲୋଚନା ପରେ କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଓ ସାମାଜିକ ସଙ୍ଗଠନ ସହ ଆଲୋଚନା କରି ସମାଧାନ ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର । କିନ୍ତୁ ଏ ପର୍ଯ୍ୟନ୍ତ କୋଟିଆ ପ୍ରସଙ୍ଗରେ ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧିତ ଖବର