ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ ନ ଥିବାରୁ ଆଜି ନିଜ ବିବେକ ହିସାବରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ | ଆଉ ଏହି କଥାକୁ ମୋକିମ ନିଜେ ସ୍ୱୀକାର କରିଥିବାବେଳେ ଏହାକୁ ନେଇ ଓଡିଶା କଂଗ୍ରେସରେ ଭୂକମ୍ପ ସୃଷ୍ଟି ହୋଇଛି | ଏହି ଘଟଣାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ। ତା’ପରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୋକିମଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଛନ୍ତି |
ଦଳୀୟ ନିର୍ଦ୍ଦେଶ ନ ମାନି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିବା ବେଳେ ଅନ୍ୟପଟେ ମୋକିମଙ୍କ ଏହି ପଦକ୍ଷେପ ପରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ଧର୍ମେନ୍ଦ୍ର ଟ୍ୱିଟ କରି ଲେଖିଛନ୍ତି ଯେ ରାଜନୈତିକ ମତପାର୍ଥକ୍ୟ ଓ ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତି ସହ ସାରା ଦେଶର ଅନେକ ରାଜନୈତିକ ଦଳ ସ୍ୱର ମିଳାଇ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଆଜି ଓଡ଼ିଶା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ତାଙ୍କ ନିଷ୍ପତ୍ତିକୁ ମୁଁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଉଛି ।
ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ହୋଇ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଘଟଣା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ବିଧାୟକ ମୋକିମ୍ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୁଁ ମୋର ଦୃଦୟର ଡାକକୁ ଗ୍ରହଣ କରିଛି। ଏହା ମତେ ନିଜ ମାଟି ପାଇଁ କିଛି କରିବାକୁ ପ୍ରେରଣା ଦେଇଛି। ସେଥିପାଇଁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/9333b7e3-8276-4c53-94e9-909d55db88a6.jpg)