ବାଣପୁର ଘଟଣାରେ ଧର୍ମେନ୍ଦ୍ର-ପ୍ରଣବ ମୁହାଁମୁହିଁ

ପୁଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ସୃଷ୍ଟି କରୁଛି: ଧର୍ମେନ୍ଦ୍ର
ଓଡ଼ିଶାକୁ ବଦନାମ କରିବା ନିନ୍ଦନୀୟ: ପ୍ରଣବ

ଭୁବନେଶ୍ବର : ବାଣପୁର ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି ଯେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ସୃଷ୍ଟି କରୁଛି। ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ। ତାଙ୍କର ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ପୁଲିସ ତଦନ୍ତ ଠିକ୍ ବାଟରେ ଯାଉଛି। ଅନ୍ୟ ରାଜ୍ୟ ସହ ତୁଳନା କରି ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟକୁ ବଦନାମ କରାଯିବା ଠିକ୍ ନୁହେଁ।

ଆଜି ରାତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଟୁଇଟ୍‌ କରିଥିଲେ ଯେ ଚିଲିକା ବିଧାୟକ ନିଜେ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ଗାଡ଼ି ନମ୍ବର ବିଭିନ୍ନ ଗଣମାଧ୍ୟମ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ପୁଲିସ ପ୍ରଶାସନ ନିଜ ଆଡ଼ୁ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ଥିବା ସେହି ଗାଡ଼ି ନମ୍ବର ବଦଳରେ ଭିନ୍ନ ଏକ ଗାଡ଼ିର ନମ୍ବର ଏହି ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି। ପୁଲିସର ଏହି କାର୍ଯ୍ୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି। ଓଡ଼ିଶାର ପୁଲିସ ଏବଂ ପ୍ରଶାସନ ଏଭଳି ଜଣେ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇ ଖସାଇବା ପାଇଁ ଅପଚେଷ୍ଟା କରିବା ତଥା ଓଡ଼ିଶା ଭଳି ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ସୁରକ୍ଷା ଦେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସରକାରଙ୍କ ଛତ୍ରଛାୟାରେ ପ୍ରତିଦିନ ଯେଉଁଭଳି ଭାବେ ହିଂସାକାଣ୍ଡ ଘଟୁଛି, ଠିକ୍ ସେହିପରି ଓଡ଼ିଶାରେ ଘଟୁଥିବା ରାଜନୈତିକ ହିଂସା, ନୟାଗଡ଼ରେ ଯୁବକ ମାନସର ରହସ୍ୟଜନକ ହତ୍ୟା, ହିଞ୍ଜିଳି ରାଜରାସ୍ତାରେ ନିର୍ମମ ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି। ଯାହା ଉଦ୍‌ବେଗର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ଧର୍ମେନ୍ଦ୍ରଙ୍କ ଟୁଇଟ୍‌ର ଜବାବ ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ଲେଖିଛନ୍ତି, ‘ଭାଇ, ଆପଣଙ୍କୁ ବୋଧେ ଓଡିଶା ବିଜେପିର ନେତାମାନେ ଅବଗତ କରିନାହାନ୍ତି । ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା, ଯେଉଁଥିପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଜାଲିଆତିର ସଂଗୀନ ଦଫାରେ ପୁଲିସ ମାମଲା ରୁଜୁ କରିସାରିଛି। ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟମାନଙ୍କରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ। ଏମିତି ଓଡ଼ିଶା ଏବଂ ଓଡିଶାବାସୀଙ୍କୁ ନିନ୍ଦିତ କରିବା ଅନୁଚିତ। ସବୁ ଘଟଣାରେ ଓଡିଶା ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ଆପଣଙ୍କୁ ବୋଧହୁଏ ଓଡିଶା ବିଜେପି ନେତାମାନେ ଅବଗତ କରୁନାହାନ୍ତି।’

ସମ୍ବନ୍ଧିତ ଖବର