ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ଅଛନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଭୁବନେଶ୍ୱରରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଲେ, ମହାପ୍ରଭୁଙ୍କ ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି। ଏପରି ପ୍ରସଙ୍ଗରେ ରାଜ୍ୟ ସରକାର ଅଧିକ ଯତ୍ନବାନ ଓ ଅଧିକ ପାରଦର୍ଶୀ ହେବା ଜରୁରୀ। ରତ୍ନଭଣ୍ଡାରର ଚାବି ହଜିବା ଓ ରତ୍ନଭଣ୍ଡାର ଧନ ସମ୍ପତ୍ତି ନେଇ ଉଠୁଥିବା ସନ୍ଦେହର ଉତ୍ତର ବିଚାର ବିଭାଗୀୟ ତଦନ୍ତ ନୁହେଁ। ଲୋକଙ୍କ ଆଖିରେ ଧୂଳି ପକାଇବା ପାଇଁ ଓ ଅପାରଗତାକୁ ଲୁଚାଇବା ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ଆୟୁଧ ନ କରନ୍ତୁ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପୂଜ୍ୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ବାରମ୍ବାର ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଆଜି ଦିନରେ ଚାବି ହଜିବା ଏକ ବିସ୍ଫୋରକ ସ୍ଥିତି ତିଆରି କରିଛି। ତେଣୁ ଜଗନ୍ନାଥ ମନ୍ଦିରର ସମସ୍ତ ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇଁ ଯୋଜନାର ଆବଶ୍ୟକତା ରହିଛି।

ମାତୃ ମୃତ୍ୟୁହାର ହ୍ରାସରେ ଓଡ଼ିଶା ସରକାରଙ୍କ ସଫଳତା ଦାବିକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ। ଗଣମାଧ୍ୟମର ଏ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ସେ କହିଲେ, ଯେଉଁ ରିପୋର୍ଟ ଆଧାରରେ ଓଡ଼ିଶା ସରକାର ସଫଳତା ଦାବି କରୁଛନ୍ତି ସେହି ରିପୋର୍ଟରେ ଦର୍ଶାଯାଇଥିବା ମାତୃ ମୃତ୍ୟୁ ମାମଲାରେ ଆଗୁଆ ରାଜ୍ୟ ଛାଡ଼ି ପୂର୍ବରୁ ଓଡ଼ିଶା ପରି ସ୍ଥିତିରେ ଥିବା ରାଜ୍ୟ ଯଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ଆସାମ ସହ ଓଡ଼ିଶାର ତୁଳନା କଲେ ଓଡ଼ିଶାର ଖରାପ ସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। ଓଡ଼ିଶା ସରକାର ମିଛ କଥାକୁ ଜୋର୍‌ରେ କହି ସତ କରିବାରେ ସିଦ୍ଧହସ୍ତ ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର