ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍)ର ଦୁରୁପଯୋଗ ଅଭିଯୋଗ ଆସିବାପରେ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିଷ୍ଠାନର ଟ୍ରଷ୍ଟି ସଦସ୍ୟ ଜୁଏଲ ଓରାମ ୨୦୨୨ ନଭେମ୍ବର ୧୧ ତାରିଖରେ ସିଏଜି ଅଡିଟ୍ ପାଇଁ ଭାରତର ମହାସମୀକ୍ଷକ (ଅଡିଟର ଜେନେରାଲ)ଙ୍କୁ ଚିଠି ଲେଖିବା ଚର୍ଚ୍ଚାର ବିଷୟ ହୋଇଥିଲା। ଗତ ଏପ୍ରିଲ୍ ୧୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ହ୍ୟାଣ୍ଡେଲ୍ (ଟ୍ବିଟର୍)ରେ ପାଣ୍ଠି ଦୁରୁପଯୋଗକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇ କ୍ଷୋଭ ପ୍ରକାଶ କରିବାପରେ ପୁଣି ଚର୍ଚ୍ଚାକୁ ଆସିଛି ଡିଏମ୍ଏଫ୍।
ଏକ୍ସ ହ୍ୟାଣ୍ଡେଲ୍ରେ ଧର୍ମେନ୍ଦ୍ର ଲେଖିଛନ୍ତି, ‘ଜନଜାତି ଅଞ୍ଚଳର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଏହି ପାଣ୍ଠିରେ ୬୪୦୫ କୋଟି ଆସିଥିବାବେଳେ ମାତ୍ର ୮୬୦ କୋଟି ଖର୍ଚ୍ଚ ହୋଇଛି। ଡିଏମ୍ଏଫ୍ ଅର୍ଥରେ ରାଉରକେଲା ପୁଲିସ ଇନୋଭା କିଣୁଛନ୍ତି। ସୁନ୍ଦରଗଡ଼ ସର୍କିଟ ହାଉସ ପାଚେରି ନିର୍ମାଣ ହେଉଥିବାବେଳେ ଲହୁଣିପଡ଼ା ବ୍ଲକ୍ ପୁରୁଣାପାଣି ପଞ୍ଚାୟତ କପଣ୍ଡ ଗାଁରେ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଲୋକେ ନିଜ ରାସ୍ତା ନିଜେ ତିଆରି କରୁଛନ୍ତି।’ ଯେଉଁ ଖଣି ଅଞ୍ଚଳର ଅଧିବାସୀଙ୍କ ପାଇଁ ଡିଏମ୍ଏଫ୍ ଉଦ୍ଦିଷ୍ଟ, ସେମାନେ ଆଜି ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ରାଜ୍ୟ ସରକାରର ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ କି’ ବୋଲି ସେ କଟାକ୍ଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହିଭଳି ମନ୍ତବ୍ୟ ଡିଏମ୍ଏଫ୍ ପାଣ୍ଠିର ବିନିଯୋଗ ଉପରେ ପ୍ରଶ୍ନ ଉଠାଇବା ପରେ ଏହା ରାଜନୈତିକ ବାତାବରଣରେ ଚର୍ଚ୍ଚାର ବିଷୟ ପାଲଟିଛି।