ଏସସି, ଏସଟି, ଓବିସି, ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗଙ୍କୁ ପ୍ରାଧାନ୍ୟ
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୧୩୭ ପଦବି ଖାଲି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଦେଶର ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲିଥିବା ୬ ହଜାର ପଦବି ପୂରଣ ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ଦୁଇ ମାସ ତଥା ଅକ୍ଟୋବର ଶେଷ ସୁଦ୍ଧା ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି।
ଗୁରୁ ଦିବସ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଦେଶର ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଥିଲେ। କେଉଁ ବିଶ୍ବବିଦ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି; ସେନେଇ ତଥ୍ୟ ସଂଗ୍ରହ କରିବା ସହ ମିସନ ମୋଡ୍ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରୁ ଜଣାପଡ଼ିଛି ଯେ ସମସ୍ତ ବିଶ୍ବବିଦ୍ୟାଳୟରେ ପଦବି ଖାଲି ରହିଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(ସିୟୁଓ) ଲାଗି ଅନୁମୋଦିତ ୧୫୪ ନିୟମିତ ଶିକ୍ଷକ ପଦବି ମଧ୍ୟରୁ ୧୩୭ଟି ଖାଲି ପଡ଼ିଛି। ଅର୍ଥାତ୍ ମାତ୍ର ୧୧% ଶିକ୍ଷକରେ ଚାଲିଛି ରାଜ୍ୟର ଏହି ପ୍ରମୁଖ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ। ୧୪ଟି ବିଭାଗରେ ମାତ୍ର ୧୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ମୋଟ ଉପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ମଞ୍ଜୁରୀପ୍ରାପ୍ତ ୧୮ ହଜାର ୯୧୧ ଶିକ୍ଷକ ପଦବି ମଧ୍ୟରୁ ୬୧୩୬ ପଦବି ଖାଲି ପଡ଼ିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ୮୪୬, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ୪୨୨, ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ୫୯୮ ଶିକ୍ଷକ ନାହାନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂରଣ ହେବାକୁ ଥିବା ପଦବିରେ ଏସ୍ସି, ଏସ୍ଟି, ଓବିସି, ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଦେଶବାସୀଙ୍କ ଆକାଂକ୍ଷା ଓ ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସାମାଜିକ, ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଚାବିକାଠି ହୋଇଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତର ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ଲୋକପ୍ରିୟ କରିବା ଏବଂ ଭାରତୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଉଚିତ। ବିଶ୍ୱବିଦ୍ୟାଳୟଗୁଡ଼ିକ ସୃଜନଶୀଳତା, ନବସୃଜନ ଓ ସୁଯୋଗର ମୂଳଦୁଆ ଭାବେ ଉଭା ହେଉଥିବା ନୂତନ ବିଶ୍ୱରେ ଭାରତକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦେଶରେ ଉଚ୍ଚଶିକ୍ଷାକୁ ନୂଆ ଦିଗ ଦେବାରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବଡ଼ ଭୂମିକା ରହୁଛି। କୁଳପତିମାନେ ସେମାନଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକରେ ସାଧାରଣ ଓ ସଂରକ୍ଷିତ ପଦବି ପୂରଣ କରିବା, କୋଭିଡ୍-୧୯ ସମୟରେ ଅନ୍ଲାଇନ ଶିକ୍ଷା ପଦ୍ଧତି, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଭଳି ଅନେକ ସର୍ବୋତ୍କୃଷ୍ଟ ପଦକ୍ଷେପ ନେଉଛନ୍ତି। ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା, ଏକାଡେମିକ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏଥିସହ ମଲଟିପୁଲ ଏଣ୍ଟ୍ରି-ଏକ୍ସିଟ୍ ସିଷ୍ଟମ, ଓପନ ଆଣ୍ଡ୍ ଅନଲାଇନ୍ ଶିକ୍ଷା, ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଗ୍ଲୁ ଗ୍ରାଣ୍ଟ, ୨୦୨୧-୨୨ରେ ଶିକ୍ଷାନୁଷ୍ଠାନର ଆରମ୍ଭ ନେଇ ଥିବା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଛି।