ଅନୁଗୁଳ: ଠିକଣା ସମୟରେ ରାସ୍ତା କାମ ସାର। ଖଣି ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଅ। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବାରେ ଯେମିତି ହେଳା ନ ହୁଏ। ଏମିତି ଢଙ୍ଗରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୁଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଭିତ୍ତିଭୂମି ସମୀକ୍ଷା କରିବା ଅବସରରେ ଶ୍ରୀ ପ୍ରଧାନ ଅନୁଗୁଳରେ ଶିଳ୍ପ କରିଡର୍ ବିକାଶ ଉପରେ ଜୋର୍ ଦେଇଛନ୍ତି। ସୋମବାର ଭୁବନେଶ୍ବର ରାଜ୍ୟ ଅତିଥି ଭବନଠାରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷା ବୈଠକରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ଥିଲେ। ଅନୁଗୁଳ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ମୁଖ୍ୟତଃ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଥିଲା।
ରାସ୍ତା ନିର୍ମାଣ, ଖଣି ଓ ଶିଳ୍ପ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ, ରେଳପଥଗୁଡ଼ିକର ଉନ୍ନତୀକରଣ ନେଇ ସବିଶେଷ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିଛି ଯେ ଅନୁଗୁଳର ଶିଳ୍ପ କରିଡର୍ ବିକାଶକୁ କେନ୍ଦ୍ରମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇଛନ୍ତି। ଛେଣ୍ଡିପଦାରେ ଏକାଧିକ କୋଇଲା ଖଣି କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଠାରୁ କୋଇଲା ପରିବହନ ପାଇଁ ଏକ ସ୍ବତନ୍ତ୍ର କରିଡର୍ କରାଯିବ। ଛେଣ୍ଡିପଦା-ଜରପଡ଼ା ଓ ଛେଣ୍ଡିପଦା-ଅନୁଗୁଳ ରାସ୍ତାର ଉନ୍ନତୀକରଣ କରାଯିବ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଳଚେର ପବିତ୍ରମୋହନ ମେଡିକାଲ କଲେଜ ପର୍ଯ୍ୟନ୍ତ ରାସ୍ତାକୁ ଅଧିକ ଚଉଡ଼ା କରାଯିବ। ଏହି ରାସ୍ତାରେ ଫ୍ଲାଏଓଭର ନିର୍ମାଣ ସହ ଆବଶ୍ୟକ ସ୍ଥଳେ ବାଇପାସ୍ ରାସ୍ତା ହେବ। ମେଡିକାଲ କଲେଜରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯେମିତି କମ୍ରୁ କମ୍ ସମୟ ଭିତରେ ପହଞ୍ଚି ହେବ, ସେ ଦିଗରେ ଧ୍ୟାନ ଦିଆଯିବାକୁ କୁହାଯାଇଛି।
ଉନ୍ନୟନ ପ୍ରକଳ୍ପ ଓ ଭିତ୍ତିଭୂମିର ସମୀକ୍ଷା କଲେ ଧର୍ମେନ୍ଦ୍ର
ଜାତୀୟ ରାଜପଥ, ଶିଳ୍ପ କରିଡର୍ ଉପରେ ଗୁରୁତ୍ବ
ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥ ଖରାପ ହୋଇ ପଡ଼ିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ। ଅନୁଗୁଳରୁ କଟକ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏନ୍ଏଚ୍ଏଆଇ ସୂଚନା ଦେବା ସହ ମାସକ ଭିତରେ କାମ ଶେଷ ହେବ ବୋଲି କହିଥିଲେ। ପିତିରିରୁ ପାଳଲହଡ଼ା ପର୍ଯ୍ୟନ୍ତ ଜାତୀୟ ରାଜପଥ ମରାମତି ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା ବେଳେ ଖୁବ୍ଶୀଘ୍ର କାମ ଆରମ୍ଭ ହେବ। ରେଙ୍ଗାଳି-କଣିହାଁ-ଗୋଡ଼ିବନ୍ଧ ଜାତୀୟ ରାଜପଥର ପ୍ରଶସ୍ତୀକରଣ ପାଇଁ ୧୯୦ କୋଟି ଟଙ୍କା ମିଳିଛି। ଏହି ରାଜପଥରେ ଥିବା ୩ଟି ଗାଁରେ ବାଇପାସ୍ ରାସ୍ତା ନିର୍ମାଣ କରାଯିବ। ବଅଁରପାଳରୁ ତାଳଚେର ଦେଇ ଗୋଡ଼ିବନ୍ଧକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଭାବେ ବ୍ୟବହାର କରାଯାଉଥିବାରୁ ସହରକୁ ସଂଯୋଗ କରୁଥିବା ସବୁ ପ୍ରମୁଖ ରାସ୍ତାର ଉନ୍ନତୀକରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରେଳପ୍ରକଳ୍ପ ବାବଦରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତାଳଚେର-ବିମଳାଗଡ଼ ରେଳପଥ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହା ବାଦ୍ ଜିଲ୍ଲାରେ ଚାଲିଥିବା ଅନ୍ୟ ପ୍ରକଳ୍ପଗୁଡ଼ିକର ସ୍ଥିତି ପଚାରି ବୁଝିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।