ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବିଦ୍ୟାଳୟ ଶିକ୍ଷା ପରିପୃଷ୍ଠ, ସ୍କୁଲ ଭିତ୍ତିଭୂମିର ବିକାଶ, ଜାତୀୟ ପାଠ୍ୟକ୍ରମ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ ଓ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ, ଶିକ୍ଷକଙ୍କ ଦକ୍ଷତା ବିକାଶ, ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟାନ୍ୱୟନ, ପ୍ରଧାନମନ୍ତ୍ରୀ ପୋଷଣ ଏବଂ ସମଗ୍ର ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ଓଡ଼ିଶାରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଛି। ଏଥିସହ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଶିଶୁବାଟିକାର ସୁପରିଚାଳନା, ଜାତୀୟ ପାଠ୍ୟକ୍ରମ ରୂପରେଖର ସମନ୍ବୟରେ ରାଜ୍ୟ ପାଠ୍ୟକ୍ରମକୁ ବିକଶିତ ଏବଂ ସ୍ଥାନୀୟ ପ୍ରାସଙ୍ଗୀକରଣକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏକ ଷ୍ଟିୟରିଂ କମିଟି ଗଠନ ଉପରେ ଆଲୋଚନା କରାଯାଇଛି।

Advertisment

ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଭିତ୍ତିଭୂମିର ବିକାଶ, ରାଜ୍ୟରେ ପିଏମ୍‌ଶ୍ରୀ ଯୋଜନାର ସଫଳ କାର୍ଯ୍ୟକାରିତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଅଧିକରୁ ଅଧିକ ପିଲାଙ୍କ ନିକଟରେ ପହଞ୍ଚାଇବା, ପ୍ରାକ୍-ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ବ, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ରାଜ୍ୟର ଯୋଗଦାନ, ଆଇସିଟି ଓ ଡିଜିଟାଲ ଶିକ୍ଷାର ପ୍ରସାର, ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଉନ୍ନୀତ କରି ଅଧିକ ସଂଯୁକ୍ତ ବିଦ୍ୟାଳୟ ଗଠନ ଉପରେ ବିଚାର ଆଲୋଚନା ହୋଇଛି। ଚଳିତ ଶିକ୍ଷାବର୍ଷରୁ ପିଏମ୍‌-ପୋଷଣ ସମନ୍ବୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାକୁ ଗ୍ରହଣ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଯେଉଁଥିରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନଭୋଜନ, ସପ୍ତାହକୁ ତିନି ଦିନ ପୁଷ୍ଟିକର ଲଡ଼ୁ ଏବଂ ଗୋଟିଏ ଅତିରିକ୍ତ ଅଣ୍ଡା ପ୍ରଦାନ କରାଯାଉଛି।

ଭିତ୍ତିଭୂମି ବିକାଶ, ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଉପରେ ଆଲୋଚନା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟରେ ଶିକ୍ଷାର ସମୃଦ୍ଧ ଯୋଜନା ପ୍ରସ୍ତୁତି ଓ ଡ୍ରପ୍ ଆଉଟ୍ ହାର ରୋକିବାକୁ ଘରକୁ ଘର ବୁଲି ୦-୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ସର୍ବେକ୍ଷଣର ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ସର୍ବେକ୍ଷଣ ଦ୍ବାରା ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ ସହ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଦେଶ ପାଇଁ ଉଦାହରଣ ସୃଷ୍ଟି କରିବ। ଏହାଦ୍ବାରା ପିଲାଙ୍କ ମାତୃଭାଷା ତଥା ଭିନ୍ନକ୍ଷମ ଶିଶୁ ସମ୍ପର୍କିତ ସୂଚନା ମଧ୍ୟ ଉପଲବ୍ଧ ହୋଇପାରିବ। ଆଗାମୀ ଶିକ୍ଷାବର୍ଷରେ ବିଦ୍ୟାଳୟରେ ନାମ ଲେଖାଇବାକୁ ଥିବା ପିଲାଙ୍କ ସୂଚନା ମଧ୍ୟ ମିଳିପାରିବ।

ବୈଠକରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର, ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ପିଏମ୍‌-ପୋଷଣ ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ, ଏସ୍‌ସିଇଆରଟି ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ ଆର୍ ଆୟର ପ୍ରମୁଖ ଯୋଗଦେଇଥିଲେ। ତିନି ଦିନ ଧରି ନୂଆଦିଲ୍ଲୀସ୍ଥିତ ଆଇସିଏଆର୍‌ରେ ସମସ୍ତ ରାଜ୍ୟର ଶିକ୍ଷା ସଚିବଙ୍କୁ ନେଇ ଜାତୀୟ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ଶିକ୍ଷା ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ବିଭିନ୍ନ ରାଜ୍ୟ ନିଜ ନିଜର ସଫଳ ଯୋଜନାକୁ ଉପସ୍ଥାପନ କରିଥିଲେ।