ଭୁବନେଶ୍ବର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ବୁଧବାର ଦିନ କମିସନରେଟ୍‌ ପୁଲିସ ବିନ୍ଦାସ୍‌ ଚିନୁକୁ ମାରାଥନ ଜେରା କରିଛି। ଆଜି ଦିନ ୧୧ଟାରେ ସେ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ୩ ଜଣ ମହିଳା ଆଇଆଇସି, ଜଣେ ଏସିପି ଅପରାହ୍ନ ୨ଟା ପର୍ଯ୍ୟନ୍ତ ୩ଘଣ୍ଟା କାଳ ମାରାଥନ ଜେରା କରିଥିଲେ। ସେ କେମିତି ଧର୍ମେନ୍ଦ୍ରଙ୍କୁ ଜାଣିଲେ? ତାଙ୍କ ସହ କିଭଳି ସମ୍ପର୍କ ଥିଲା? ଆତ୍ମହତ୍ୟା ପୂର୍ବରୁ କଥା ହୋଇଥିଲେ କି ନାହିଁ? ତାଙ୍କୁ କିଛି ଜଣାଇଥିଲେ କି? ସମସ୍ତ ଦିଗ ଉପରେ ପୁଲିସ ଗୁଡ଼ାଇ ତୁଡ଼ାଇ ପଚାରିଥିଲା।

Advertisment

ପୁଲିସର ୩ଘଣ୍ଟା ଜେରା
୨ବର୍ଷ ହେବ ଜାଣିଥିଲେ, ପାରିବାରିକ ସମ୍ପର୍କ ଥିଲା
ରାଜନୈତିକ ମହଲରେ ହଟଚମଟ

ଚିନୁଙ୍କୁ ଜେରା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ଚିନୁ ହେଉଛନ୍ତି ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସମ୍ପର୍କୀୟ ଭାଣିଜୀ। ଆଉ ପୂର୍ବରୁ ମଧ୍ୟ ସାମ୍ବାଦିକ ଅକ୍ଷୟ ନାୟକ ଅଡିଓ କ୍ଲିପ୍‌କୁ ଲିଙ୍କ କରି ଚିନୁ ବିବାଦ ଘେରକୁ ଆସିଥିଲେ। ଏମିତିକି କମିସନରେଟ୍‌ ପୁଲିସ ଚିନୁ ଓ ଅଡିଓ କ୍ଲିପ୍‌କୁ ତଦନ୍ତ ପରିସରଭୁକ୍ତ କରିବାକୁ ଅକ୍ଷୟ ଗଣମାଧ୍ୟମରେ କହିଥିଲେ। ତେବେ ବୁଧବାର ଦିନ କମିସନରେଟ୍‌ ପୁଲିସ ଚିନୁଙ୍କ ସମେତ ୫ଜଣଙ୍କୁ ଜେରା କରିଥିବା କଥା କୁହାଯାଉଛି। ଜେରା ପରେ ରହସ୍ୟ ଉପରୁ ପର୍ଦ୍ଦା ହଟୁଛି କି ନାହିଁ ତାହା ଅପେକ୍ଷାରେ।

ଅନ୍ୟପଟେ ଚିନୁ ଗଣମାଧ୍ୟମକୁ କହିଥିଲେ ଯେ, ମନ୍ତ୍ରୀ ଶ୍ରୀ ଦାଶ ତାଙ୍କ ସମ୍ପର୍କୀୟ ମାମୁ। ସେ ତାଙ୍କ ସୋସିଆଲ୍‌ ମିଡିଆ ଅପଡେଟ୍‌ କରନ୍ତି। ଗତ ଦେଢ଼ରୁ ଦୁଇ ବର୍ଷ ତଳେ ମାମୁ ହିଁ ଧର୍ମେନ୍ଦ୍ରଙ୍କ ସହ ପରିଚିତ କରାଇଥିଲେ। ସେ ଧର୍ମେନ୍ଦ୍ରଙ୍କ ସୋସିଆଲ୍‌ ମିଡିଆ ପରିଚାଳନାରେ ସହଯୋଗ କରୁଥିଲେ। ଆଉ ଧୀରେ ଧୀରେ ସେମାନଙ୍କର ପାରିବାରିକ ସମ୍ପର୍କ ହୋଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ, ଆତ୍ମହତ୍ୟାର ୩-୪ଦିନ ପୂର୍ବରୁ ତାଙ୍କୁ ଧର୍ମେନ୍ଦ୍ର ଫୋନ୍‌ କରିଥିଲେ। ମାତ୍ର କଥାବାର୍ତ୍ତା ସମ୍ପର୍କରେ କିଛି କହି ନଥିଲେ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ସମ୍ପର୍କ ଭଲଥିଲା ବୋଲି ଚିନୁ କହିଥିଲେ। ହେଲେ ଭାଇରାଲ୍‌ ଅଡିଓ କ୍ଲିପ୍‌ରେ ଧର୍ମେନ୍ଦ୍ର ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପାଲଟା ପ୍ରଶ୍ନ କରିବାରୁ ସେ ମୁହଁ ଫେରାଇ ଚାଲିଯାଇଥିଲେ।
ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର୨୪ରେ ଦିନ କମିସନରେଟ୍‌ ପୁଲିସ ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କର ମୃତଦେହ ଜବତ କରିଥିଲା।