୨୦୩୦ ସୁଦ୍ଧା ଅକ୍ଷୟ ଊର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍‌ ବୃଦ୍ଧି କରାଯିବ: ଧର୍ମେନ୍ଦ୍ର

ଭୁବନେଶ୍ବର: ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ୫ ଟ୍ରିଲିୟନ୍ ଡଲାର୍‌ ଅର୍ଥନୀତିରେ ପରିଣତ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋ‌ଣରେ ଏହି ଲକ୍ଷ୍ୟକୁ ଭାରତ ହାସଲ କରିବାର କ୍ଷମତା ରଖିଛି। ଭାରତୀୟ ଊର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୩୦ ସୁଦ୍ଧ‌ା ଅକ୍ଷୟ ଊର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍‌ ବୃଦ୍ଧି କରାଯିବ ଓ ଏହା ଦ୍ବାରା ପରିବେଶ ସନ୍ତୁଳନ ଠିକ୍ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି ଫୋରମ୍‌ର ତୃତୀୟ ସଂସ୍କରଣରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ, ସଂପ୍ରତି ଦ୍ବିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢ଼ିବାରେ ଊର୍ଜା ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଛି। ବିଶ୍ବ ଊର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ତ୍ବପୂର୍ଣ୍ଣ ରଣନୈତିକ ଭୂମିକାରେ ଉଭା ହେଉଛି। ଆଗାମୀ ଦିନରେ ଭାରତ ଦାୟିତ୍ବସମ୍ପନ୍ନ ଭାବେ ନିଜ ବାଟରେ ଦେଶରେ ଉପଲବ୍ଧ ଉପାଦାନକୁ ଊର୍ଜାରେ ରୂପାନ୍ତରିତ କରିବ, ଯାହା ବିଶ୍ବର ଊର୍ଜା ଜଗତକୁ ବହୁଳ ଭାବେ ପ୍ରଭାବିତ କରିବ। ୨୦୧୪-୧୫ରେ ଅକ୍ଷୟ ଊର୍ଜା ୧୦ ପ୍ରତିଶତ ଥିଲା ବେଳେ ଏବେ ତାହା ୨୨ ପ୍ରତିଶତରେ ପହଞ୍ଚିଲାଣି। ସେହିପରି ଇଥାନଲ୍‌ ବ୍ଲେଡିଂ ୨୦୧୨-୧୩ରେ ୦.୬୭ ପ୍ରତିଶତ ଥିଲା ବେଳେ ଏବେ ଏହା ୬ ପ୍ରତିଶତକୁ ବୃଦ୍ଧି ହେଲାଣି। ଆ‌େମରିକା ଓ ଚୀନ୍ ପରେ ଭାରତ ବିଶ୍ବର ତୃତୀୟ ବୃହତ ଊର୍ଜା ବ୍ୟବହାରକାରୀ ରାଷ୍ଟ୍ର। ଆଗାମୀ ଦିନରେ ଭାରତ ବିଶ୍ବ ଊର୍ଜା ବ୍ୟବହାରର ନେତୃତ୍ବ ନେବାର ସମ୍ଭାବନା ରହିଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ କୋଇଲାକୁ ସ୍ବଚ୍ଛ ସ୍ଥାୟୀ କରାଯାଇପାରୁଛି। ଓଡ଼ିଶାରେ ଏକ ସାର କାରଖାନା ସ୍ଥାପନ କରାଯାଉଛି, ଯାହା କୋଇଲାରୁ ଗ୍ୟାସ ପ୍ରସ୍ତୁତ ଟେକ୍ନୋଲୋଜିକୁ ଉପଯୋଗ କରିବାରେ ଦେଶରେ ପ୍ରଥମ।

ସମ୍ବନ୍ଧିତ ଖବର