ବଜେଟ୍‌ ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନି: ଧର୍ମେନ୍ଦ୍ର

ଭୁବନେଶ୍ବର: ରାଜ୍ୟ ବଜେଟ୍‌ ଉପରେ ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ୍‌ କରି କୃଷି, କୃଷି ପ୍ରକ୍ରିୟାକରଣ, ହସ୍ତ ଓ କୁଟୀର ଶିଳ୍ପ, ବୟନ ଶିଳ୍ପ ତଥା ଗ୍ରାମୀଣ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଓଡ଼ିଶାର ଅର୍ଥନୀତିକୁ ଦୃଢ଼ କରିବା ଜରୁରୀ। ମାତ୍ର ସାଧାରଣ ଲୋକଙ୍କ ପକେଟକୁ ରୋଜଗାରର ସୁବିଧା ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ଓ ଆଭିମୁଖ୍ୟର ଆବଶ୍ୟକତା ରହିଛି, ରାଜ୍ୟ ସରକାରଙ୍କ ଦ୍ବାରା ଆଗତ ବଜେଟ୍‌ ଆକଳନରେ ତାହା ଦେଖାଯାଉ ନାହିଁ। ରାଜ୍ୟର ଗ୍ରାମାଞ୍ଚଳରେ ପୋଖରୀ ପୁନରୁଦ୍ଧାର ଓ ମାଛ ଚାଷ ପାଇଁ ବ୍ୟୟବରାଦ କରିବା ଦ୍ବାରା ଗ୍ରାମାଞ୍ଚଳରେ ଚାଷୀମାନଙ୍କର ବିକଳ୍ପ ରୋଜଗାର ବୃଦ୍ଧି ପାଇଁ ସହାୟକ ହୋଇପାରେ। ମୋଦୀ ସରକାରଙ୍କ ପୂର୍ବୋଦୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମୀ ମାମଲାରେ କେନ୍ଦ୍ର ସରକାରଙ୍କ ନୀତି ସୁଧାରଣ କାରଣରୁ ରାଜ୍ୟକୁ ଲାଭ ଓ ଓଡ଼ିଶା ପାଇଁ ଅଧିକ ବ୍ୟୟବରାଦର ପ୍ରତିଫଳନ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି। ଅମାପ ଖଣିଜ ସମ୍ପଦ, ବିସ୍ତୃତ ବେଳାଭୂମି, ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ। ଓଡ଼ିଶା କେବଳ ଦେଶର ନୁହେଁ, ସମଗ୍ର ବିଶ୍ବର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ି ତେଳିବା ପାଇଁ ନୂଆ ଯୋଜନା, ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି। ଏହି ବଜେଟ ସେପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁ ନାହିଁ।

ସମ୍ବନ୍ଧିତ ଖବର