ଭୁବନେଶ୍ୱର: ମହାପ୍ରଭୁଙ୍କ ରଥାଯାତ୍ରା ହେଉ କି ବଗଲା ଧର୍ମଶାଳା ଅଥବା ଦେବଦେବୀ ମନ୍ଦିର ଖୋଲିବା ପ୍ରସଙ୍ଗ। ଏସବୁକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାପ ସୃଷ୍ଟି କରିଛନ୍ତି। ଯେଉଁ ସମୟରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ କରି ଜନ ସମର୍ଥନ ଗୋଟାଉଛନ୍ତି, ଠିକ୍ ସେହି ସମୟରେ ଶ୍ରୀ ପ୍ରଧାନ ପୁଣି ସରକାରଙ୍କ ଅଡୁଆ ବଢ଼ାଇ ଦେଇଛନ୍ତି। ଆଜି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଆଇନ,୧୯୫୫ ଢାଞ୍ଚାରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି। ହେଲେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିର ପାଇଁ ମଧ୍ୟ ସମାନ ଅଧ୍ୟାଦେଶ ପ୍ରଣୟନ କରାଯାଉ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ସେ ପତ୍ରରେ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଏଭଳି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଥିବା ମନ୍ଦିରଗୁଡ଼ିକ ଲୋକଙ୍କ ଧାର୍ମିକ ଭାବନା ଓ ଭାବାବେଗ ସହ ଜଡ଼ିତ। ଉପରୋକ୍ତ ଧାର୍ମିକ ପୀଠଗୁଡ଼ିକ ସହ
ରାଜ୍ୟବାସୀଙ୍କ ବୃହତ ସାମାଜିକ ଓ ସାଂସ୍କୃତିକ ଭାବାବେଗ ମଧ୍ୟ ଯୋଡ଼ି ହୋଇ ରହିଛି। ତ୍ରୟୋଦଶ ଶତାବ୍ଦୀରେ ଶାରଦୀୟ ପୂଜା ଅବସରରେ ବିରଜା ମନ୍ଦିରର ରଥଯାତ୍ରା ପାଇଁ ଭିନ୍ନ ସ୍ୱତନ୍ତ୍ରତା ରହିଛି। ସେହିପରି ଅବିଭକ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ବର୍ଷତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥା’ନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ମା’ଙ୍କ ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥା’ନ୍ତି। ଏହାବାଦ୍ ତାରାତାରିଣୀ ମନ୍ଦିର ଦେଶର ସର୍ବପୁରାତନ ଚାରି ଶକ୍ତିପୀଠ ମଧ୍ୟରେ ଅନ୍ୟତମ । ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ପୀଠ ସର୍ବବିଦିତ। ଏଠାରେ ଆୟୋଜିତ ହେଉଥିବା ଚୈତ୍ର ମେଳା ବେଶ୍ ପ୍ରସିଦ୍ଧ। କଣ୍ଟିଲୋ ନୀଳମାଧବ ଜଗନ୍ନାଥ ସଂସ୍କୃତିର ଅନୁସରଣକାରୀ ଏବଂ ଓଡ଼ିଶାର ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ପାଇଁ ପ୍ରମୁଖ ମନ୍ଦିର ଭାବରେ ବେଶ୍ ପରିଚିତ। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଅବସ୍ଥିତ ଉପରୋକ୍ତ ମନ୍ଦିର ଆଧ୍ୟାତ୍ମିକ ଏବଂ ଭକ୍ତିର ଅଜ୍ଞାତ ସମ୍ପତ୍ତି ଭାବରେ ପରିଗଣିତ। ଏହି ମନ୍ଦିରଗୁଡ଼ିକ କେବଳ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ରାଜ୍ୟର ରାଜସ୍ୱ ସଂଗ୍ରହ ପାଇଁ ନୁହେଁ, ବରଂ ନାଗରିକଙ୍କ ଦୈନିନ୍ଦିନ ଜୀବନ ସହ ଜଡ଼ିତ। ଓଡ଼ିଶାର ଚାରିଟି ମନ୍ଦିରର ଶାସନ ଓ ପରିଚାଳନାରେ ସଂସ୍କାର ଆଣିବା ପାଇଁ ପ୍ରଯୁଜ୍ୟ ଏବଂ ଦୀର୍ଘ ସମୟର ଆବଶ୍ୟକତାକୁ ଧ୍ୟାନରେ ରଖି ଓଡ଼ିଶା ବିଧାନସଭା ଗାଇଡ୍ଲାଇନ୍ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ୍ ଢାଞ୍ଚାରେ ଦୈନନ୍ଦିନ ମନ୍ଦିରର ପରିଚାଳନା, ପୂଜା, ନୀତି କାନ୍ତି, ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ସୁବିଧା ଓ ମନ୍ଦିରର ଉନ୍ନତୀକରଣ ଏବଂ ବିକାଶ ପାଇଁ ଏକ ସଶକ୍ତ କମିଟି ଗଠନ କରିବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
ଏହି ଆଇନର ବ୍ୟବସ୍ଥା ହେବା ଦ୍ୱାରା ମନ୍ଦିରଗୁଡ଼ିକରେ ଉଚ୍ଚମାନର ସୁପରିଚାଳନା ହେବା ସହ ଉତ୍ତରଦାୟିତ୍ୱ ବଢ଼ିବ। ଏହା ସହ ଉପଯୁକ୍ତ ବଜେଟ୍ ବ୍ୟବସ୍ଥା, ଯୋଜନା ଓ ଆନୁଷଙ୍ଗିକ ବ୍ୟବସ୍ଥା ଇତ୍ୟାଦି ପାଇଁ ସହାୟକ ହେବ। ଏହା ବାଦ୍ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଇଚ୍ଛାନୁସାରେ ସବୁ ସୁବିଧା ମିଳିପାରିବ। ଉପରୋକ୍ତ ମନ୍ଦିର ପାଇଁ ଏହି ଆଇନ ପ୍ରଯୁଜ୍ୟ ହେଲେ ଏହା ଲମ୍ବା ସମୟ ଧରି ଉକ୍ତ ଜିଲ୍ଲାର ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହନ ଦେବା ସହିତ ମଜବୁତ୍ କରିବ। ରାଜ୍ୟ ଏବଂ ରାଜ୍ୟ ବାହାରର ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ କହିଛନ୍ତି।