ଭୁବନେଶ୍ବର : ନବ ଦାସଙ୍କ ହତ୍ୟାର ୮ଦିନ ପରେ ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରନ୍ତୁ। ଲୋକତନ୍ତ୍ରରେ ଜନମତକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଦାୟିତ୍ୱ ମିଳିଛି, ଜାଗିର୍ ନୁହେଁ। ଆମେ ଯାହା ଚାହିବୁ, ତାହା କରିବୁ। ଯାହାକୁ ଯେମିତି ଚାହିବୁ ସେମିତି ବ୍ୟବହାର କରିବୁ, ଏପରି ହେବା ଅନୁଚିତ୍।
ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ। ମାତ୍ର ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ଅତି ନିକଟରୁ ହତ୍ୟା କରିବା ଏବଂ ଘଟଣାର ସପ୍ତାହେ ପରେ ବି ପୁଲିସ ଡିଜି ତଦନ୍ତ ପ୍ରକ୍ରିୟାର ପ୍ରଶ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା କହିବା ରାଜ୍ୟବାସୀଙ୍କୁ ଚକିତ କରିଛି। ଅପରପକ୍ଷେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନିରବତା ଅବଲମ୍ବନ କରିବା ଏବଂ ପୁଲିସ ଡିଜି ମହାପ୍ରଭୁଙ୍କ ନାଁ ନେଇ ହତ୍ୟା ଘଟଣାରୁ ଖସିଯିବା ଭଳି ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ତଦନ୍ତରେ କମିସନ ଆକ୍ଟରେ ସମ୍ମାନୀୟ ନ୍ୟାୟଧୀଶଙ୍କୁ ନିଯୁକ୍ତି ଦିଆଯାଇନାହିଁ। ତେବେ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ନେଇଥିବା ଅବସରପ୍ରାପ୍ତ ନ୍ୟାୟଧୀଶଙ୍କ ଅଧିକାର ନେଇ କୌଣସି ସ୍ପଷ୍ଟତା ନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନଥିବା ଭଳି ରାଜ୍ୟବାସୀ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହନ୍ତି। ତଦନ୍ତର ପ୍ରାଥମିକ ପ୍ରକ୍ରିୟା ଅସାମଞ୍ଜସ୍ୟ ଭଳି ମନେ ହେଉଛି। ନୈତିକତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ତୃତୀୟ ପକ୍ଷକୁ ଦିଆଯାଉ। ଲୋକ କଥାରେ ଅଛି ‘ତୁ ଗୁହାରୀ କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ’। ପୁଲିସ ପ୍ରତି ମାଫିଆଙ୍କ ଡର ଛାଡ଼ିଗଲାଣି, ପୁଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିବା ସହ କହିଛନ୍ତି ଯେ ଓଡ଼ିଶା ଏବେ ବଡ଼ ଗମ୍ଭୀର ସ୍ଥିତିରେ ଅଛି।
ବାଲେଶ୍ବରରେ ଉପଜିଲ୍ଲାପାଳଙ୍କ ଉପରେ ଆକ୍ରମଣ କେଉଁ ପ୍ରକାରର ଶାସନ ବ୍ୟବସ୍ଥା?
‘ଲୋକତନ୍ତ୍ରରେ ଜନମତକୁ ସମ୍ମାନ ଦିଆଯାଉ, ଦାୟିତ୍ବ ମିଳିଛି, ଜାଗିର୍ ନୁହେଁ’
ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆଙ୍କୁ ଆକଟ କରିବା ବେଳେ ଉପଜିଲ୍ଲାପାଳ ଏବଂ ତାଙ୍କ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ ହେବା କେଉଁ ପ୍ରକାର ଶାସନ ବ୍ୟବସ୍ଥାର ସୂଚନା ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଓ ଉପଜିଲ୍ଲାପାଳ ପୁଲିସ ଓ ଦୁର୍ବୃତ୍ତ ଶିକାର ହେଉଛନ୍ତି, ସାଧାରଣ ଲୋକଙ୍କ କଥା ନ କହିଲେ ଭଲ। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡେ? ଶାସକ ଦଳରେ ବସିଥିବା ପ୍ରଭାବଶାଳୀ ଲୋକମାନେ କ’ଣ କରୁଛନ୍ତି? ଏଠି କୁହାଯାଉଛି ଶାସନ କିଏ ଚଲାଉଛି? ପ୍ରତିଦିନ ରାଜ୍ୟରେ ଜାରି ହେଉଥିବା ନୂଆ ନୂଆ ଭିଡିଓ ରାଜ୍ୟର ଶାସନକର୍ତ୍ତା କିଏ ତାହାର ପ୍ରମାଣ ଦେଉଛି ବୋଲି ସେ କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମାହାଙ୍ଗାରେ କୁଳମଣି ବରାଳଙ୍କୁ ହତ୍ୟା କରିବା ଘଟଣାରେ କିପରି ସାଲେପୁରର ଜେଏମ୍ଏଫ୍ସି କୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ ପୁନଃତଦନ୍ତ କଲା, ଆନନ୍ଦ ଟୋପୋଙ୍କ ମୃତ୍ୟୁ ମାମଲାରେ ପୁଲିସ କେସ୍ ରୁଜୁ କରିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା, ଜଗତସିଂହପୁର ବିଧାୟକଙ୍କ ବିରୋଧରେ ପୁଲିସକୁ ମାମଲା ରୁଜୁ କରିବା ପାଇଁ ପୀଡ଼ିତାଙ୍କୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡ଼ୁଛି ବୋଲି ଉଦାହରଣ ଦେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଥିଲେ। ଏହାସହ ଧର୍ମେନ୍ଦ୍ର କହିଛନ୍ତି ଯେ, ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିରବତା, ଅପରାଧିକ ମାମଲାରେ ରାଜ୍ୟ ପୁଲିସ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମ ଦଳ ରାଜ୍ୟରେ ଜନଜାଗରଣ ସୃଷ୍ଟି କରିବ।