ସମ୍ବଲପୁର: ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା’ ସମଲେଶ୍ବରୀ ପୀଠରୁ ସେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ସମ୍ବଲପୁରର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଶୀତଳଷଷ୍ଠୀ ଯାତ୍ରାର ଭ୍ରମ ସୃଷ୍ଟି କରିଥିଲା। ସହରର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Advertisment

ନାମାଙ୍କନପତ୍ର ଦାଖଲ ପାଇଁ ଆୟୋଜିତ ରୋଡ୍ ସୋ’ରେ ସମ୍ବଲପୁରର ବିଜେପି ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକ ଏବଂ ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ‘ଅବ୍‌କୀ ବାର୍‌, ୪୦୦ ପାର୍‌’, ‘ଏଥର ଦରକାର ବିଜେପି ସରକାର’, ‘ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର’ ନାରା ଦେଇଥିଲେ ସମର୍ଥକ। ସମ୍ବଲପୁର ସହର ରାସ୍ତାର ଅନେକ ସ୍ଥାନରେ ଝୋଟିଚିତା ସହ ପଦ୍ମପୁଲ ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍‌ସି, ଏସ୍‌ଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରାର୍ଥିପତ୍ର ଦାଖଲ ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂପୂର୍ଣ୍ଣ ଓଡ଼ିଶା ମୋ ପରିବାର ଓ ସମ୍ବଲପୁର ମୋର ଘର। ଏଠାରୁ ମୁଁ ପ୍ରାର୍ଥୀ ହୋଇଛି। ଏହାର ସବୁ ସୁଖଦୁଃଖରେ ସାମିଲ ହେବି। ଲୋକଙ୍କର ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ସହ ସମ୍ବଲପୁରର ମାନ ମର୍ଯ୍ୟାଦାକୁ ବୈଶ୍ୱିକ ସ୍ତରକୁ ନେବା ପାଇଁ ଦାୟିତ୍ୱ ନେବି। ସମ୍ବଲପୁର ସମେତ ଓଡ଼ିଶା ମାଟିର ସେବା କରିବା ପାଇଁ ମୁଁ ସବୁବେଳେ ଆଗଭର ରହିବି ବୋଲି ଗୁରୁବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିବା ପରେ କେନ୍ଦ୍ରମନ୍ତ୍ରୀ ସେ କହିଛନ୍ତି।