ନାକଟିଦେଉଳ: ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ। ନରେନ୍ଦ୍ର ମୋଦୀଙ୍କ ସରକାର ଏସ୍ଏଚ୍ଜି ଭଉଣୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କଲେ। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଦେବାର ସୁବିଧା କଲେ। କିନ୍ତୁ ଏ ବିଜେଡି ସରକାର ଏସବୁକୁ ନିଜ ଯୋଜନା କହି ମିଛ ପ୍ରଚାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ରବିବାର ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ନାକଟିଦେଉଳ ଜଗନ୍ନାଥ ପ୍ରସାଦରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ। ଏହି ସମାବେଶରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ଏହି ଯୋଜନାରେ ମୋଦୀ ଲୋକମାନଙ୍କୁ ମାଗଣାରେ ଜଣ ପିଛା ୫ କେଜି ଚାଉଳ ଦେଲେ। କିନ୍ତୁ ନବୀନ ସରକାର ମୁଣି ଦେଇ ଚାଉଳ ନିଜେ ଦେବାର ମିଛ ପ୍ରଚାର କଲେ। ସେହିପରି ଏସ୍ଏଚ୍ଜି ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ। ଏସ୍ଏଚ୍ଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାରଙ୍କ ବ୍ୟାଙ୍କରୁ ଋଣ ଦେବାର ଦାୟିତ୍ୱ ମୋଦୀ ନେଇଛନ୍ତି। ମୋଦୀ ସରକାର ଏସ୍ଏଚ୍ଜି ଭଉଣୀଙ୍କୁ ୧୧ ପ୍ରତିଶତ ସୁଧରେ ଦେଉଥିବା ଋଣର ୭ ପ୍ରତିଶତ ପରିଶୋଧ କରୁଛନ୍ତି। କିନ୍ତୁ ସ୍ୱଳ୍ପ କିଛି ଋଣ ପରିଶୋଧ କରି ନବୀନ ସରକାର ଏସ୍ଏଚ୍ଜିକୁ ଋଣ ଦେବାର ଶ୍ରେୟ ନେଉଛନ୍ତି। ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ। ଜଳ ଜୀବନ ମିସନରେ ମୋଦୀ ସରକାର ୧୦ ହଜାର କୋଟି ଦେବା ପରେ ବି ଘରେ ଘରେ ପିଇବା ପାଣି ପହଞ୍ଚିପାରିଲା ନାହିଁ। ଆଠମଲ୍ଲିକ ଓ ରେଢ଼ାଖୋଲରେ ପାନୀୟଜଳ, ଜଳସେଚନ, ଶୀତଳଭଣ୍ଡାର, ଶିକ୍ଷା, ସ୍ୱାସ୍ଥ୍ୟର ସ୍ଥିତି କଣ? ଯିଏ ଆଦିବାସୀଙ୍କ ଜମିକୁ ବିକିବାର ନିଷ୍ପତ୍ତି କ୍ୟାବିନେଟ୍ରେ ନିଏ, ସେ ଆଦିବାସୀଙ୍କର କେବେ ହୋଇପାରିବ ନାହିଁ।
ବିଜେପି ସରକାର ହେଲେ ଓଡ଼ିଶାରେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ। ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ। ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ। ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟଜଳ ପହଞ୍ଚାଯିବ। ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ୍ ସହ ସବୁ ପ୍ରକାର ସୁବିଧା ଦିଆଯିବ। ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ। କେନ୍ଦୁପତ୍ର ବିଡ଼ା ୧.୬୦ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରାଯିବ। ସମ୍ବଲପୁର ଦଶ ହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ। ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି। ସମ୍ବଲପୁରକୁ ଦେଶର ଆଗୁଆ ଅଞ୍ଚଳ ଭାବରେ ଗଢ଼ି ତୋଳିବା ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୀମାଂଚଳ ଖଟେଇ ମଂଚ ପରିଚାଳନା କରିଥିବା ବେଳେ ସୁରଥ ବିଶ୍ବାଳ, ଅର୍ଜୁନ ପଟ୍ଟନାୟକ, ପ୍ରମୋଦ ସାହୁ, ନେତ୍ରାନନ୍ଦ ରାଉଳ, ବିଚିତ୍ରାନନ୍ଦ ସାହୁ, ଲକ୍ଷ୍ମୀ ଖିଲାରି, ସସ୍ମିତା ଦେହୁରୀ, ଜୟନ୍ତ ପ୍ରଧାନ, ଶରତ ପ୍ରଧାନ, ପ୍ରମୋଦ ରଥ, ଦେବାନନ୍ଦ ଭୋସାଗର ପ୍ରମୁଖ ମଂଚାସୀନ ଥିଲେ।