ରାଜ୍ୟ ସରକାରଙ୍କୁ ଦାୟୀ କଲେ ଧର୍ମେନ୍ଦ୍ର

ଚାଷୀମୃତ୍ୟୁ ଘଟଣାରେ କଠୋର ସମାଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ୭ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତିି। ଏହି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ତେବେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ଭୂମିକା ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ହେଁ, ସେ ସଂଘୀୟ ବ୍ୟବସ୍ଥାରେ କୃଷି ରାଜ୍ୟର ବିଷୟ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱ କହି ପ୍ରଥମେ ଏଡ଼ାଇ ଯାଇଥିଲେ। ତେବେ ମହାରାଷ୍ଟ୍ରରେ ଚାଷୀଙ୍କ ଆତ୍ମହତ୍ୟା ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି, ଓଡ଼ିଶା କ୍ଷେତ୍ରରେ କାହିଁକି ନୁହେଁ ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଥିଲେ ଯେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତିି। ତାଙ୍କୁ ଯଥାଶୀଘ୍ର ଭେଟି ଏଭଳି ଗମ୍ଭୀର ପ୍ରସଙ୍ଗରେ ସେ କଥା ହେବେ।

ଆଜି ରାଜ୍ୟ ବିଜେପି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରୀମନ୍ତ୍ରୀ ଶ୍ରୀ ପ୍ରଧାନ ଚାଷୀ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣାରେ ରାଜ୍ୟ ସରକାରଙ୍କୁ ଅପାରଗ, ସ୍ଥାଣୁ, ସମ୍ବେଦନହୀନ, ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରିଥିଲେ। ମନ୍ତ୍ରୀ କହିଥିଲେ, ସରକାର ତାଙ୍କ ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ପ୍ରାୟ ୩୦ରୁ ୪୦ ଲକ୍ଷ ଚାଷୀ ପରିବାର ଅଛନ୍ତିି। ଚାଷୀ ହିତାଧିକାରୀମାନଙ୍କୁ ସିଧାସଳଖ ଯୋଜନା ଅର୍ଥ ହସ୍ତାନ୍ତର(ଡିବିଟି)ରେ ସୁବିଧା ଇନ୍‌ପୁଟ୍‌ ସବ୍‌ସିଡି ଦିଆଗଲାନି କି ସୁରଭି ଯୋଜନାର ଲାଭ ପାଇଲେନି ଚାଷୀ। ଫସଲ ଅମଳ ବେଳକୁ ନଭେମ୍ବର ମାସ ୧ ତାରିଖରେ ସରକାର ଘୋଷଣା କଲେ ଇନ୍‌ପୁଟ ସବ୍‌ସିଡି ଆଧାରରେ କୀଟନାଶକ ଇତ୍ୟାଦି ଦିଆଯିବ। ଯଥେଷ୍ଟ ପୂର୍ବରୁ ସରକାରଙ୍କୁ ଏ ନେଇ ଘୋଷଣା କରିବାକୁ କେହି ମନା କରିଥିଲେ କି, କ’ଣ ପାଇଁ ଚାଷୀ ଏତେ ଦିନ ଅପେକ୍ଷା କଲେ ବୋଲି କେନ୍ଦ୍ରମନ୍ତ୍ରୀ ପଚାରିଥିଲେ। ଏ ନେଇ ସରକାର ଚାଷୀକୁ ମୃତ୍ୟୁମୁଖକୁ ଠେଲିଦେଇଥିବା ଅଭିଯୋଗ କରି ଏ ସରକାର ଚାଷୀ ହତ୍ୟାକାରୀ ବୋଲି ଶ୍ରୀ ପ୍ରଧାନ ଅଭିହିତ କରିଥିଲେ। ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ସରକାରଙ୍କ ଯୋଜନା, ପ୍ୟାକେଜ୍‌, ଏପରି କି ବୋନସ୍‌ ଆଦି ଘୋଷଣାସର୍ବସ୍ୱ। ‘ସରକାର ଭୂତ ହୋଇ ଲାଗିବେ, ଗୁଣିଆ ହୋଇ ଛଡ଼ାଇବେ।’

ଚାଷୀଙ୍କ ଆତ୍ମହତ୍ୟା ପାଇଁ ବିଜେପି ନେତା ଉସ୍‌କାଉଥିବା ନେଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭିଡିଓ ପ୍ରସଙ୍ଗରେ ସେ କହିଲେ ଯେ ରାଜ୍ୟ ସରକାରଙ୍କ ହାତରେ ଆଇନ। ସେମାନେ ବିଜେପି ନେତା, କର୍ମୀମାନଙ୍କୁ ଜେଲ୍‌ରେ ଭର୍ତି କରିବେ ଯଦି କରନ୍ତୁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସେ କହିଲେ ଯେ ରାଜ୍ୟ ସରକାରଙ୍କୁ କିଏ ମନା କରିଛି ବୋନସ୍‌ କିମ୍ବା ଅନ୍ୟାନ୍ୟ ସୁବିଧା ଦେବାକୁ। ଏ ନେଇ ସେ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କ ଉଦାହରଣ ଦେଇଥିଲେ। ଛତ୍ରପୁର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ନେଇ ସେ କହିଲେ ଯେ ଅନୁସନ୍ଧାନ, ଆଇନକାନୁନ ସବୁ ସରକାରଙ୍କ ହାତରେ। ଯାହା ଚାହିଁବେ ସେମାନେ କରିବେ।

ସମ୍ବନ୍ଧିତ ଖବର