ପିଲାମାନେ ଭୟଭୀତ ନ ହୋଇ ମାସ୍କ ପିନ୍ଧି ସ୍କୁଲକୁ ଯାଆନ୍ତୁ : ଧର୍ମେନ୍ଦ୍ର

ଭୁବନେଶ୍ବର : ସ୍କୁଲ ଖୋଲିବାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ଅଭିନନ୍ଦନ ଜଣାଇବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପିଲାମାନଙ୍କୁ ଅଭିନନ୍ଦନ ଜଣାଇବା ସହ କୋଭିଡ କଟକଣା ମାନି ନିଷ୍ଠାର ସହ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି ।

ଏକ ଟୁଇଟ କରି ସେ ଲେଖିଛନ୍ତି,  “ଓଡ଼ିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢ଼ିଛନ୍ତି । ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି । ପିଲାମାନେ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ ଓ ମନ ଦେଇ ପାଠ ପଢ଼ନ୍ତୁ । ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କୋଭିଡ୍ ନିୟମକୁ ମାନି ସେମାନେ ନିଜର ଓ ଛାତ୍ରଛାତ୍ରୀଙ୍କ ସଠିକ୍ ଯତ୍ନ ନିଅନ୍ତୁ । ଯଦ୍ୱାରା ଆମେ ଆମ ପିଲାମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ସହ ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବା।’’

 

ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟେଲିଭିଜନ ସମ୍ବୋଧନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ  କୋଭିଡ ନିୟମ ପାଳନ ପୂର୍ବକ ସ୍କୁଲକୁ ଆସିବାକୁ ପରାମର୍ଶ ଦେଇଥିଲେ ।

 

ସମ୍ବନ୍ଧିତ ଖବର