ବରଗଡ଼/ପଦ୍ମପୁର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇବେ। ୩ଦିନ ଧରି ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ହରିଚନ୍ଦନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଂଗଳବାର ସକାଳ ୧୧.୩୦ରୁ ମାଣ୍ଡୋସିଲଠାରେ ଆୟୋଜିତ ଏକ ସଭା‌ରେ ଯୋଗଦେଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହାପ‌ରେ, ମିଠାପାଲି, ପାଇକମାଳ, ହିରାପୁର, ନୂଆଗାଁ, ଝାରମୁଣ୍ଡାରେ ରୋଡ୍‌ ସୋ’ ଓ ପଦଯାତ୍ରା କରିବେ। ଅପରାହ୍ନରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବା ସହିତ ମାଲଦା, ପଲସଦା ଓ ଖଇରାରେ ରୋଡ ସୋ’ କରିବେ। ସଂଧ୍ୟାରେ ପୁଣି  ବିଜାଡିହିଠାରେ ସାଧାରଣ ଜନସଭାରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀଙ୍କ ଅବଶିଷ୍ଟ ଦୁଇଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଦଳ ପକ୍ଷରୁ ସୂଚନା ଦିଆଯାଇନାହିଁ।

ଅନ୍ୟପକ୍ଷରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଅପେକ୍ଷାରେ ରହିଛି। ଆସନ୍ତା ୧ ଓ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିପାରନ୍ତି ବୋଲି ଆଲୋଚନା ହେଉଛି। ମାତ୍ର, ଏ ନେଇ ଚୂଡ଼ାନ୍ତ ସୂଚୀ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି।