ଦୀପାବଳିର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଆଲୋକ ଏବଂ ଉଲ୍ଲାସର ପର୍ବ ତଥା ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଅବସର ଦୀପାବଳିରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଣ୍ଟିବା ତଥା ସ୍କୁଲ ପିଲାମାନଙ୍କୁ ବିଦ୍ୟାଦାନ ପାଇଁ ‘ବିଦ୍ୟାଞ୍ଜଳି’ରେ ଯୋଡ଼ି ହେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଛନ୍ତି।

ଦେଶବାସୀଙ୍କୁ ପବିତ୍ର ଦୀପାବଳିର ଶୁଭକାମନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀପାବଳିର ଶୁଭ ଅବସରରେ ସମସ୍ତେ କିଛି ଦେବାରେ ଖୁସି ଅନୁଭବ କରିଥାନ୍ତି। ସବୁ ଧର୍ମରେ ଦାନର ପ୍ରଥା ରହିଛି। ଆମ ସଂସ୍କୃତିରେ ପ୍ରାଚୀନ କାଳରୁ ଦାନର ପରମ୍ପରା ରହିଆସିଛି । ଦୀପାବଳିରେ ଲୋକମାନେ ବିଶେଷ ରୂପରେ ସାମଗ୍ରୀ ଏବଂ ଧନ ଦାନ କରିଥାନ୍ତି । ଏହି ଅବସରରେ ପିଲାମାନଙ୍କୁ ବିଦ୍ୟା ଦାନ ଦେବାରେ ହୁଏତ ଅଧିକ ଖୁସିର କଥା କିଛି ହୋଇନପାରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବିଦ୍ୟାଳୟକୁ ବାଛନ୍ତୁ ଏବଂ କେବଳ ଗୋଟିଏ ପିରିୟଡ ପାଇଁ ପିଲା ମାନଙ୍କ ସହ କଥା ହୁଅନ୍ତୁ । ଇଚ୍ଛୁକ ବ୍ୟକ୍ତିମାନେ ବିଦ୍ୟାଳୟ ପାଇଁ ବିଷୟ ଏବଂ ସମୟ ନିଜେ ନିର୍ଦ୍ଧାରଣ କରିପାରିବେ। ଇଚ୍ଛୁକ ନାଗରିକମାନେ ବିଦ୍ୟାଞ୍ଜଳିର ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟ୍ କିମ୍ବା ଗୁଗୁଲରେ ବିଦ୍ୟାଞ୍ଜଳି ବିଷୟରେ ଜାଣିବା ସହ ଏଥିରେ ସାମିଲ ହୋଇପାରିବେ । ବିଦ୍ୟାଞ୍ଜଳିକୁ ଗୋଟିଏ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର