ଭୁବନେଶ୍ବର : ରାଜଧାନୀ ଏକ୍ସପ୍ରେସ୍‌ ଭଳି ପୁରୀ-ହାଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌କୁ ଲିଙ୍କ୍‌ ହଫମେନ୍ ବୁଶ୍‌ (ଏଲ୍‌ଏଚ୍‌ବି) କୋଚ୍‌ରେ ପରିଣତ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ନିକଟରେ ସେ ଭୁବନେଶ୍ବରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌ରେ ଯାତ୍ରା କରିଥିଲେ। ଏହି ସମୟରେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଯାତ୍ରୀମାନେ ଏହି ଟ୍ରେନ୍‌ରେ ଏଲ୍‌ଏଚ୍‌ବି କୋଚ୍ ଆରମ୍ଭ କରିବାକୁ ଦାବି ଜଣାଇଥିଲେ। ଯାତ୍ରୀଙ୍କର ଏନେଇ ଦୀର୍ଘଦିନର ଦାବି ଥିବାରୁ ଏହାକୁ ପୂରଣ କରାଯାଉ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉନ୍ନବିଂଶ ଶତାବ୍ଦୀରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ବିନୀ ନାମରେ ଏହି ଟ୍ରେନ୍‌କୁ ନାମିତ କରାଯାଇଥିଲା। ଏହି ଟ୍ରେନ୍ ୧୯୯୬ ମସିହାରୁ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଢେଙ୍କାନାଳ, ତାଳଚେର, ଅନୁଗ‌ୁଳ, ରେଢାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା, ନୂଆଗାଁ ଏବଂ ହାଟିଆ ଦେଇ ଓଡ଼ିଶା ଓ ଛତିଶଗଡ଼କୁ ସଂଯୋଗ କରୁଥିବାବେଳେ ଏଥିରେ ଅଧିକ ଯାତ୍ରୀ ଦୂରବାଟ ଯାତ୍ରା କରୁଛନ୍ତି। ତପସ୍ବିନୀ ଏକ୍ସପ୍ରେସ୍‌ରେ ଏଲ୍‌ଏଚ୍‌ବି କୋଚ୍‌ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବେ ଆରାମଦାୟକ ଯାତ୍ରା କରିପାରିବେ।