କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ‘ପିପିଲିର ସ୍ୱପ୍ନେଶ୍ୱର ମନ୍ଦିର ଏବଂ ରତ୍ନଚିରା ଉପତ୍ୟାକାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ହେଉ’

ଭୁବ‌ନେଶ୍ବର : ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ଏବଂ ରତ୍ନଚିରା ମୁହାଣରେ ଥିବା ଐତିହ୍ୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ନିକଟରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚୁରାଲ ହେରିଟେଜ (ଇନଟାକ) ରତ୍ନଚିରା ଉପତ୍ୟାକା ଏବଂ ସେଠାକାର ଐତିହ୍ୟରାଜିର ଅନୁସନ୍ଧାନ କରିବା ସମୟରେ ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଗ୍ରାମରେ ଷଷ୍ଠ-ସପ୍ତମ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ମାଟି ତଳୁ ଖୋଳି ବାହାର କରିଛି। ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ମହାଦେବଙ୍କ ପାଇଁ ସମର୍ପିତ ସ୍ୱପ୍ନେଶ୍ୱର ମନ୍ଦିର ଭାବରେ ପରିଚିତ ଅଛି । ୧୩୦୦-୧୪୦୦ ବର୍ଷ ପୂର୍ବେ ଏହି ମନ୍ଦିର କଳିଙ୍ଗ କୀର୍ତିରାଜିର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆକଳନ କରାଯାଇଛି । ମନ୍ଦିରର ଢାଞ୍ଚାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବାରୁ ଏହାର ଶୀଘ୍ର ରକ୍ଷଣାବେକ୍ଷଣ କରାଯାଉ।

ସେହିପରି ରତ୍ନଚିରା ଉପତ୍ୟାକାକୁ ନେଇ କିମ୍ବଦନ୍ତୀ ରହିଛି ଯେ ପ୍ରଭୁ ଶ୍ରୀରାମ ମାଆ ସୀତାଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ତାଙ୍କ ମୁକ୍ତା ମୁଦିର ସାହାଯ୍ୟ ନେଇଥିଲେ ଏବଂ ସେଠାରେ ହିଁ ରତ୍ନଚିରା ନଦୀର ଉତ୍ପତ୍ତି ହୋଇଥିଲା। ରତ୍ନଚିରା ମୁହାଣ କଳିଙ୍ଗ କୀର୍ତିରାଜିର ମହାନ ସ୍ଥଳ। ଯାହା ଆଜି ପର୍ଯ୍ୟନ୍ତ ଇତିହାସରେ ଲିପିବଦ୍ଧ ରହିଛି। ତେଣୁ ଏହି ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷର କରାଯାଉ। ଏହାର ଠିକ୍ ଡକୁମେଣ୍ଟେସନ୍ ପାଇଁ ଶ୍ରୀ ରେଡ୍ଡି ବ୍ୟକ୍ତଗତ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର