ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାସ୍ଥିତ ନ୍ୟାସନାଲ ଆଲୁମିନିୟମ୍ କମ୍ପାନି(ନାଲ୍କୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନ୍ରୁ ୧ ମିଲିୟନ୍ ଟନ୍କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ େଯ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସେ ଆଲୋଚନା କରିବା ପରେ ଏକ ପତ୍ର ଲେଖିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ (ସିପିପି) ଆରମ୍ଭ କରିବାକୁ ମଧ୍ୟ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନାଲ୍କୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନ୍ରୁ ୧ ମିଲିୟନ ଟନ୍କୁ ବୃଦ୍ଧି କରିବା ନିମନ୍ତେ ଅନୁଗୁଳ ଜିଲ୍ଲାରେ ଆଲୁମିନିୟମ୍ ସ୍ମେଲଟର୍ ପ୍ଲାଣ୍ଟ୍ ପାଇଁ ଏକ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ୍ ଫିଡର୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ୍ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲ୍କୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ ଟନ୍ରୁ ୧୦.୫ ମିଲିୟନ ଟନ୍କୁ ବୃଦ୍ଧି ପାଇବ। ଏହା ମଧ୍ୟରୁ ଆଲୁମିନାର ବାର୍ଷିକ କ୍ଷମତା ୩.୧ ମିଲିୟନ ଟନ୍ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଆଲୁମିନିୟମ୍ ତରଳିବା ଏକ ଅତ୍ୟଧିକ ଶକ୍ତି ନିବାରଣ ପ୍ରକ୍ରିୟା ଏବଂ ଏହି ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ସମ୍ଭାବ୍ୟ ୧୪୦୦ ମେଗାୱାଟ ଫିଡର୍ ସିପିପିରେ ନିରନ୍ତର କୋଇଲା ଯୋଗାଣ ଉପରେ ନିର୍ଭରଶୀଳ। ଏହି ପରିପ୍ରେକ୍ଷୀରେ ଅନୁଗୁଳରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ନାଲ୍କୋର ଆଲୁମିନିୟମ୍ ସ୍ମେଲଟର୍ ପ୍ଲାଣ୍ଟ୍ର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଫିଡର୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ୍ ଆରମ୍ଭ କଲେ ସ୍ମେଲଟର୍ ୟୁନିଟ୍ ଓ କୋଇଲା ବ୍ଲକ୍ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।