ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇଆଣିବାକୁ କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଫସିରହିଥିବା ଓଡିଆମାନଙ୍କୁ ସେ ଦେଶରୁ ସିଧା ଭୁବନେଶ୍ୱରକୁ ଫେରାଇଆଣିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଦୁବାଇ, ଦୋହା, ମସ୍କଟ, ବାହାରିନ, କଲମ୍ବୋ ଓ ଲଣ୍ଡନରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ବିମାନ ଯୋଗେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇଆଣିବାକୁ ଅନୁରୋଧ କରିଛନ୍ତି |

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସିରହିଥିବା ଓଡ଼ିଆମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ଆବଶ୍ୟକ |

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଓ ପ୍ରଫେସନାଲମାନଙ୍କୁ ସ୍ବଦେଶ ଫେରାଇଆଣିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି | ତେଣୁ ଏହି ପରିପ୍ରେକ୍ଷୀରେ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଫେରାଇ ଆଣିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି |

ସମ୍ବନ୍ଧିତ ଖବର