‘ସିଙ୍ଗଲ୍ ୟୁଜ୍’ ପ୍ଲାଷ୍ଟିକ୍ ହ୍ରାସ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ, ଅଭିଯାନରେ ହେଲେ ସାମିଲ

ପୁରୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଶୁକ୍ରବାର ଦିନ ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଆମେ ଓଡ଼ିଆ ପରିବାରର ସ୍ୱେଚ୍ଛାସେବୀଙ୍କ ସହ ପ୍ଲାଷ୍ଟିକ୍ ସଫେଇ କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ।

ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ପାଇଁ ସାଧୁବାଦ ଜଣାଇବା ସହ କହିଛନ୍ତି ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ । ଏ ସବୁ ଲୋକମାନେ ବର୍ଜନ କରିବା ସହ ଅଭ୍ୟାସରେ ପରିଣତ କରିବା ଦରକାର । ଭାରତ ସରକାର ମଧ୍ୟ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ଉପରେ ଆଜି ଠାରୁ ନିଷ୍ପତ୍ତି ନେଇଛନ୍ତି । ରଥ ଦେଖିବା ପାଇଁ ପୁରୀକୁ ଆସୁଥିବା ଅଗଣିତ ଭକ୍ତମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ସହ ତାହାର ପୁନଃ ବ୍ୟବହାର ଓ ରିସାଇକ୍ଲିଂ କରିବା ପାଇଁ ଆରମ୍ଭ ହୋଇଥିବା ଜନଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହି ଅଭିଯାନରେ ନିଜକୁ ସାମିଲ କରିଥିବା ଓ ସୋସିଆଲ ମିଡ଼ିଆରେ ସମର୍ଥନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ରଥଯାତ୍ରା ଅବସରରେ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ‘ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ’ର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ପ୍ରଧାନ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରିଥିଲେ ।

ସମ୍ବନ୍ଧିତ ଖବର