ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ଧର୍ମେନ୍ଦ୍ରଙ୍କ ପରିବର୍ତ୍ତନ ସମାବେଶ: ‘ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କେତେ ଜଣଙ୍କୁ ରୋଜଗାର ଦେଲେ?’

ନୂଆପଡ଼ା/ ଖଡ଼ିଆଳ/ କଣ୍ଟାବାଞ୍ଜି/ ଟିଟିଲାଗଡ଼/ ଡୁଡୁକା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି, ଟିଟିଲାଗଡ଼ ଏବଂ ଲୋଇସିଂହା ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନ ସମାବେଶ କରିଛନ୍ତି। ଏହା ପୂର୍ବରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ପରିବର୍ତ୍ତନ ସମାବେଶରେ ଯୋଗଦେଇ ସେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ଜଣେ ଓଡ଼ିଆ ନେତା ଚଳାଇବା କଥା। ହେଲେ ଏଠାରେ ଜଣେ ଅଣଓଡ଼ିଆ ସରକାର ଚଳାଉଛନ୍ତି। ଚଳିତ ନିର୍ବାଚନରେ ଏହି ସରକାର ବଦଳିବା ଦରକାର। ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ୧୦ ବର୍ଷରେ ଘର, ଶୌଚାଳୟ, ଖାଦ୍ୟ, ରନ୍ଧନ ଗ୍ୟାସ, ମୁଦ୍ରା ଋଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବାବଦକୁ ନୂଆପଡ଼‌ା ଜିଲ୍ଲାର ପ୍ରାୟ ୧ ଲକ୍ଷ ୩୪ ହଜାର ୨୧୨ଟି ପରିବାରକୁ ସର୍ବମୋଟ ୪ ହଜାର ୯୬୩ କୋଟି ଟଙ୍କା ଦେଇଛନ୍ତି। ପରିବାର ପିଛା ପ୍ରାୟ ୩ ଲକ୍ଷ ୬୯ ହଜାରରୁ ଅଧିକ ତଥା ପାଖାପାଖି ୪ ଲକ୍ଷ ଟଙ୍କା ଦେଇଛନ୍ତି। ଖଡ଼ିଆଳ କୃଷିପ୍ରଧାନ ଓ ପଛୁଆ ଅଞ୍ଚଳ ହୋଇ ମଧ୍ୟ ଏଠାରେ ରେଳଲାଇନ ନାହିଁ। ବିଜେପି ସରକାର ଆସିଲେ କଣ୍ଟାବାଞ୍ଜିରୁ ଖଡ଼ିଆଳକୁ ରେଳଲାଇନ ବିଛାଯିବ। ନରେନ୍ଦ୍ର ମୋଦୀ ଗାଁ ଗାଁରେ ପାନୀୟଜଳର ସୁବିଧା ପାଇଁ ୧୦ ହଜାର କୋଟି ଟଙ୍କା ପଠାଇଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ପାନୀୟଜଳର ସୁବିଧା ନାହିଁ। କୃଷି ପ୍ରଧାନ ଅଞ୍ଚଳରେ ଜମିକୁ ପାଣି ମାଡୁନାହିଁ। ଜିଲ୍ଲାର ଡାକ୍ତରଖାନାରେ ୨୧୯ ଜଣ ଡାକ୍ତରଙ୍କ ସ୍ଥାନରେ ୧୫୬ ପଦବି ଖାଲି।

‘ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କେତେ ଜଣଙ୍କୁ ରୋଜଗାର ଦେଲେ?’
ମୁଖ୍ୟମନ୍ତ୍ରୀଙ୍କୁ ଶ୍ବେତପତ୍ର ଜାରି ପାଇଁ ଆହ୍ବାନ କଲେ
ଓଡ଼ିଶାରେ ଅଣଓଡ଼ିଆ ନେତାଙ୍କୁ ବଦଳାଇବା ଜରୁରି
କଣ୍ଟାବାଞ୍ଜିରୁ ଖଡ଼ିଆଳ ରେଳଲାଇନ୍‌ ପ୍ରତିଶ୍ରୁତି

ନୂଆପଡ଼ା ଜିଲ୍ଲାର ୯ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ। ୮୫% ସ୍କୁଲରେ ଯେତିକି ଶିକ୍ଷକ ରହିବା କଥା ନାହାନ୍ତି ବୋଲି ସେ କହିଛନ୍ତି। ଲୋକସଭା ଓ ବିଧାନସଭା ଉଭୟ ନିର୍ବାଚନ ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ସଭାରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେଓ, ବିଧାନସଭା ପ୍ରାର୍ଥୀ ହିତେଶ ବଗର୍ତ୍ତି, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଅତିନ୍ଦ୍ର ସିଂହ, ପୂର୍ବ ସାଂସଦ ଅର୍କକେଶରୀ ଦେଓ, ଲୋକସଭା ସଂଯୋଜକ ଶିବପ୍ରସାଦ ମୁଣ୍ଡ, ପୂର୍ବ ଜିଲ୍ଲା ପରିଷଦ ସଭାପତି ପୁଷ୍ପାଞ୍ଜଳି ପାଣ୍ଡେ, ଦେଶବ ବେହେରା, ଦେବେଦେବ ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟା ଆଶା ଜୈନଙ୍କ ସହ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏହାପରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା କଣ୍ଟାବାଞ୍ଜିଠାରେ ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ବିଜେଡି ସରକାରକୁ ସମାଲୋଚନା କରିଥିଲେ। ଦାଦନ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତି ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ। ଏଠାରେ ବିଜେଡି ସରକାର କେତେଜଣଙ୍କୁ ନିଯୁକ୍ତି ଦେଇଛି, ତା’ର ହିସାବ ମାଗିବା ସହିତ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ବେତପତ୍ର ଜାରି କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ। ସେ କହିଥିଲେ, ବଲାଙ୍ଗୀର ଜିଲ୍ଲା ଦାଦନଗଡ଼ ପାଲଟିଛି। କଣ୍ଟାବାଞ୍ଜି ମଧ୍ୟ ଏହାର ଏକ ଉଦାହରଣ। ହିଞ୍ଜିଳି ଭଳି କଣ୍ଟାବାଞ୍ଜିରେ ଦାଦନ ସମସ୍ୟା ଉତ୍କଟ। ଏହା କ’ଣ ୨୪ ବର୍ଷର ରୂପାନ୍ତରୀକରଣ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ବାହାର ଅଞ୍ଚଳର ନେତାମାନେ ବଲାଙ୍ଗୀର ଓ ଓଡ଼ିଶା ବିରୋଧରେ ଷଡ୍‌ଯନ୍ତ୍ର କରୁଛନ୍ତି। ବିଜେଡି ପାଖରେ କିଛି ପ୍ରସଙ୍ଗ ହିଁ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର