ପୁରୀ ବିଜେପି ରାଜନୀତିରେ ହଟଚମଟ : ସମ୍ବିତଙ୍କ ଶୋଭାଯାତ୍ରାକୁ ଆସିଲେନି ଧର୍ମେନ୍ଦ୍ରଙ୍କ ଅନୁଗତ

ଜିଲ୍ଲା ସଭାପତି, ପ୍ରଭାରୀ ଅନୁପସ୍ଥିତରେ ହେଲା ଶୋଭାଯାତ୍ରା, ହୋଇପାରିଲାନି ପୁରୀ ବନ୍ଦ ନିଷ୍ପତ୍ତି

ପୁରୀ : ରାଜ୍ୟ ବିଜେପିର ଦୁଇଟି ପ୍ରମୁଖ କେନ୍ଦ୍ର ମଧ୍ୟରେ ଅସନ୍ତୋଷ କୁହୁଳୁଛି କି ? ପୁରୀର ଏକ ଘଟଣାକୁ ନେଇ ଏହିଭଳି ଏକ ପ୍ରଶ୍ନ ଉଙ୍କି ମାରିଛି। ଘଟଣାଟି ହେଉଛି, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଶୋଭାଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଆସିନାହାନ୍ତି। କୁହାଯାଉଛି ଯେ, ଗତ ୧୯ ତାରିଖରେ ଖୋର୍ଦ୍ଧା‌ ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ରଙ୍କ ପୁନଃ ନିଯୁକ୍ତି ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ଘଟିଛି। ଏହାକୁ ନେଇ ରାଜ୍ୟ ବିଜେପିର ଦୁଇ ପ୍ରମୁଖ କ୍ଷମତା କେନ୍ଦ୍ର ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଯାହାର ପ୍ରତିଫଳନ ପୁରୀରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ପୁରୀରେ ହାଜତ ମୃତ୍ୟୁକୁ ନେଇ ଗତକାଲି ବିଜେପି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବ‌ାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରାରେ କିନ୍ତୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଅନୁପସ୍ଥିତ ଥିଲେ। କେବଳ ଜିଲ୍ଲା ସଭାପତି ଏକା ନୁହନ୍ତି, ଧର୍ମେନ୍ଦ୍ରଙ୍କ ଅନୁଗତ ଭାବେ ଜଣାଶୁଣା ପ୍ରଭାତୀ ପରିଡ଼ା ଓ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ମଧ୍ୟ ଅନୁପସ୍ଥିତ ଥିଲେ। ଗତକାଲି ଏହି ତିନି ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେପି ଦଳ ମଧ୍ୟରେ ଆଲୋଚନା ଦାନା ବାନ୍ଧିବାରେ ଲାଗିଛି। ସମ୍ବିତଙ୍କ ଶୋଭାଯାତ୍ରାରେ କାହିଁକି ଆଶ୍ରିତ ଓ ପ୍ରଭାତୀ ଅନୁପସ୍ଥିତ ରହିଲେ, ସେ ନେଇ କର୍ମୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ଉଙ୍କି ମାରିଛି। ଏପରିକି, ଆଲୋଚନା ହେଉଛି ଯେ ଦଳ ମଧ୍ୟରେ ବଡ଼ ମତ ବିଭାଜନ ସହ ଦୁଇ ଗୋଷ୍ଠୀ ମଧ୍ୟରେ ପାରସ୍ପାରିକ ଅସୂୟା ଭାବ ରହିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଗୋଷ୍ଠୀ ବିବାଦ କାରଣରୁ ପୁରୀ ବନ୍ଦ ଡାକରାକୁ ନେଇ ବି କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପୁରୀ ବିଜେପି ପକ୍ଷରୁ ଆସନ୍ତାକାଲି ବନ୍ଦ ଡାକରା ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଆଜି ରାତି ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଏ ସମ୍ପର୍କରେ ଘଣ୍ଟାଚକଟା ହୋଇଥିଲେ ବି ବନ୍ଦ ନେଇ କିଛି ନିଷ୍ପତ୍ତି ହୋଇପାରି ନ ଥିଲା। ଫଳରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ବିଜେପିରେ ଗୋଟିଏ ପଟେ ଅପରାଜିତ‌ା, ସମ୍ବିତ ଓ ବୈଜୟନ୍ତ ଥିବାବେଳେ ଅନ୍ୟପଟେ ଧର୍ମେନ୍ଦ୍ର ଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ତଳେ ବୈଜୟନ୍ତଙ୍କୁ ଦୁଇ ରାଜ୍ୟର ପ୍ରଭାରୀ ଦାୟିତ୍ବ ମିଳିଥିବା ବେଳେ ପୁରସ୍କାର ସ୍ବରୂପ ସମ୍ବିତଙ୍କୁ ମଧ୍ୟ ଗୋଟିଏ ରାଜ୍ୟର ଦାୟିତ୍ବ ମିଳିଛି। ସେ ପଟେ ରାଜ୍ୟ ସଭାପତିଙ୍କ ନିଲମ୍ବନକୁ ଚ୍ୟାଲେଞ୍ଜ କରି ରଶ୍ମିରଂଜନଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ଘଟଣା ବିଜେପି ଦଳରେ ଯେ ସବୁକିଛି ଠିକ୍‌ ଚାଲିନାହିଁ, ତାହା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର