ଭୁବନେଶ୍ୱର: ରାଉରକେଲା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ବ୍ୟାପିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକଟ କରିଛନ୍ତି। ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ଏହାକୁ ରୋକିବା ପାଇଁ ଉକ୍ତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଶ୍ରୀ ପ୍ରଧାନ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଉରକେଲାରେ ଡାଇରିଆ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ପାଣି ସଂକ୍ରମିତ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି। ତେଣୁ ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେଉଛି। ଏହାକୁ ନଜରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ତୁରନ୍ତ ରାଉରକେଲାକୁ କେନ୍ଦ୍ରୀୟ ସହାୟତା ପଠାଇବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
ଅପରପକ୍ଷେ ଏହି ପତ୍ର ଲେଖିବା ପୂର୍ବରୁ ଶ୍ରୀ ପ୍ରଧାନ ଟୁଇଟ୍ କରି କହିଥିଲେ ଯେ ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଯିବା ଅତ୍ୟନ୍ତ ଚିନ୍ତାଜନକ। ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ। ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ। ଏହାସହ ଡାଇରିଆରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିବାରୁ ଶ୍ରୀ ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।