ବରଗଡ଼/ପଦ୍ମପୁର/ପାଇକମାଳ : କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜସ୍ବ ଯୋଜନା ନେଇ କେବଳ ଅପଚେଷ୍ଟା କରୁଛନ୍ତି। ଓଡ଼ିଶା ସରକାର କିଛି ନୂଆ ଯୋଜନା ପ୍ରଣୟନ କରି ନିଜ ସୃଜନଶୀଳତା ଦେଖାଇବା ବଦଳରେ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି। ବାସ୍ତବରେ ରାଜ୍ୟ ସରକାର ଥକିଗଲେଣି। ଏଣୁ ଏବେ ମାଛ ତେଲରେ ମାଛ ଭାଜିବା ସହ ପର ଘର ତିଅଣରେ ଅତିଥି ସତ୍କାର କରିବାର ନୀତି ଆପଣାଇଛନ୍ତି। ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟ ସରକାରଙ୍କୁ ଏଭଳି ଶଦ୍ଦରେ ଟାର୍ଗେଟ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ବୁଧବାର ଦିନ ପାଇକମାଳ ବ୍ଲକ୍ ବାଦିକଟା, ପଦ୍ମପୁର ବ୍ଲକ୍ର ଖଇରପାଲି ଓ ଦହିତାଠାରେ ନିର୍ବାଚନୀ ସଭାରେ ଯୋଗଦେଇ ମହିଳା କାର୍ଡ ଖେଳିବା ସହିତ କହିଥିଲେ ଯେ ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ। ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଏବେ ମହିଳାମାନଙ୍କୁ ପ୍ରଭାବିତ କରିବା ଲାଗି ମିଛ ସୁଆଙ୍ଗ ରଚନା କରାଯାଉଛି। ରାଜ୍ୟରେ ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ଘୋଷଣା କରାଯାଇଛି । ଏହା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶର ଏକ ଯୋଜନା ଅନ୍ତର୍ଭୁକ୍ତ। ଗ୍ରାମାଞ୍ଚଳର ମହିଳାଙ୍କୁ ଆତ୍ମନିର୍ଭର କରିବାପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସରକାର। ଏହି ଯୋଜନାରେ କେନ୍ଦ୍ର ସ୍ୱଳ୍ପ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା କରିଛି। ସୁଧ ହାର ୧୧ ପ୍ରତିଶତ ଥିବା ବେଳେ ମୋଦୀ ସରକାର ୭ ପ୍ରତିଶତ ସୁଧ ହାରରେ ରିହାତି ଦେଇ ନିଜେ ତାହା ବହନ କରୁଛନ୍ତି। କିନ୍ତୁ, ଏହି ବଳକା ସୁଧ ହାର ରାଜ୍ୟସରକାର ଛାଡ଼ କରି କେବଳ ପଦ୍ମପୁର ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାର ଘୋଷଣା କରିବା କେବଳ ଏକ ଚଞ୍ଚକତାର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
ରାଜ୍ୟ ସରକାର ଥକି ଗଲେଣି, ପ୍ରଶ୍ନ ରଖି ଜବାବ ମାଗିଲେ
ରାଜ୍ୟ ଆବାସ ପ୍ଲସ୍ରେ ନାଁ ନ ଦେଲେ ଆମେ ଘର ଦେବୁ
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଓ ଶାସକ ଦଳ ଏହି ସଂଗ୍ରାମୀ ମାଟିର ଭୋଟରଙ୍କ ସାମ୍ନାରେ ମିଛ ତଥ୍ୟର ଅବତାରଣା କରାଯାଉଛି। ଏହି ମାଟିର ଭୋଟର ଷଡ଼୍ଯନ୍ତ୍ରର ଉଚିତ୍ ଜବାବ ଦେବ। ଦିନରେ ଲଣ୍ଠନ ଦେଖାଉଥିବା ଶାସକ ଦଳର ଲୋକଙ୍କୁ ପଦ୍ମପୁରବାସୀ ଭୋଟ୍ ମାଧ୍ୟମରେ ଲାଇଟ୍ ଦେଖାଇବେ ।
ପଦ୍ମପୁରର ଚିତ୍ର ସଂପର୍କରେ ଅବତାରଣା କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଆଜି ପ୍ରତିଦିନ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସରକାର ଏହି ବିଷୟରେ ସ୍ପଷ୍ଟୀକରଣ ଦେବା ଦରକାର। ଇନ୍ପୁଟ୍ ସବ୍ସିଡି ଘୋଷଣାର ପ୍ରାୟ ଅନେକଦିନ ପରେ ବି ଟଙ୍କା ଆସିନାହିଁ। ପଦ୍ମପୁରକୁ କେତେ ଇନ୍ପୁଟ୍ ସବସିଡି ଦେବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି? ନୂତନ ଜିଲ୍ଲା ହେବାପାଇଁ ପଦ୍ମପୁରର ସମସ୍ତ ଯୋଗ୍ୟତା ରଖୁଥିବା ପରେ ମଧ୍ୟ ଜିଲ୍ଲା ହେଲାନାହିଁ । ସତରେ ଏ ଅଞ୍ଚଳ ପ୍ରତି ପ୍ରତିବଦ୍ଧତା ଥିଲେ ବିଜେଡ଼ି ସଭାପତି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଭାବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ଘୋଷଣା କରନ୍ତୁ ବୋଲି ଧର୍ମେନ୍ଦ୍ର ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଏଥସହିତ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ପ୍ରଚାର ଆସିବାକୁ ବେଳେ ଓବିସି ତଥା କୁଲତା, ମେହେର, ଗୋପାଳ, ବଢେଇ, ଚଷା ଓ ଏହି ସମାଜର ଲୋକମାନଙ୍କ ପାଇଁ ସାମ୍ବିଧାନିକ ଅନୁମୋଦିତ ଅଧିକାର କେବେ ଲାଗୁ କରିବେ, ଏହା ଉପରେ ମତ ରଖିବେ ବୋଲି ସେ ଆଶା ରଖିଥିବା କହିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଉ ଏକ ବଡ଼ କଥା କହିଦେଇଥିଲେ। ଧର୍ମେନ୍ଦ୍ର କହିଥିଲେ ଯେ ଆବାସ ପ୍ଲସ୍ ପୋର୍ଟାଲ ବାରମ୍ବାର ଖୋଲାଯିବା ପରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ରକୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ଦେଲେ ନାହିଁ । ପଶ୍ଚିମ ଓଡ଼ିଶାକୁ ଅଣଦେଖା କଲେ। ପିଏମ୍ ଆବାସରେ ଓଡ଼ିଶାର ସବୁ ଜିଲ୍ଲାର ଲୋକମାନଙ୍କ ନାଁ ଗଲେ ଭାରତ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ନିଜଆଡୁ ଘର ଦେବାର ବ୍ୟବସ୍ଥା କରିବେ। ଆଜିର ପ୍ରସଙ୍ଗ ଏହି ପଦ୍ମପୁର ଅଞ୍ଚଳକୁ କେବେ ନ୍ୟାୟ ମିଳିବ? ଏଠାକାର ଅଞ୍ଚଳର ଲୋକମାନଙ୍କୁ କେବେ କାମ ମିଳିବ ? ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଉପଲବ୍ଧ କରାଇବେ ନା ନାହିଁ? ଗଙ୍ଗାଧର ମେହେର ପ୍ରକଳ୍ପରେ ଜାମିକୁ ପାଣି ମାଡିବ ନା ନାହିଁ, ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଉପଲବ୍ଧ କରାଯିବ ନା ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ଏଥିସହିତ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/baragarh-ppp.jpg)