ଅନୁଗୁଳ: ରାଜ୍ୟରେ ୨୫ ବର୍ଷ ଧରି ଏକ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। ବିକାଶ ଅଟକି ଯାଇଛି। ଏପଟେ ଏହି ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। ମୋର କିନ୍ତୁ କ୍ରୀତଦାସ ହେବା ପସନ୍ଦ ନୁହେଁ। ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ମୋର ଅଗାଢ଼ ବିଶ୍ୱାସ ଅଛି ବୋଲି ଶୁକ୍ରବାର ଅନୁଗୁଳ ଓ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥର ଏ ମାଟି କ୍ରୀତଦାସ ବନାମ ସ୍ବାଭିମାନର ନିର୍ବାଚନ ଦେଖିବ ବୋଲି ସେ କହି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବିଜେଡି ନେତା
୨୫ ବର୍ଷର ଅପାରଗ ଶାସନରେ ଓଡ଼ିଶା ଆଗକୁ ବଢ଼ିନି
ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଖେଳପଡ଼ିଆ ଓ ଛେଣ୍ଡିପଦାରେ ଆଜି ଦୁଇଟି ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଓଡ଼ିଶାର ସ୍ବାଭିମାନ ପାଇଁ ନିର୍ଣ୍ଣାୟକ ଲଢ଼େଇ କରିବାକୁ ପ୍ରସ୍ତୁତ ରହିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଅପାରଗ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶା ଉପଯୁକ୍ତ ବିକାଶ ହୋଇପାରିନି। ଏପଟେ ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥରେ ଦରମା ପାଉଥିବା କିଛି ଅସାଧୁ ଅଣଓଡ଼ିଆ କର୍ମଚାରୀ ଆଜି ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡ଼୍ଯନ୍ତ୍ର ରଚିଛନ୍ତି। ଏଥର ନିର୍ବାଚନ ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡ଼୍ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ। ଏଥିସହିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପିଇବାପାଣି, ସ୍ବାସ୍ଥ୍ୟ, ଦାଦନ, ମହିଳା ଅତ୍ୟାଚାର, ଶିକ୍ଷା ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ, ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ସରକାର କରିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେପି ସରକାର କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଛେଣ୍ଡିପଦାରେ ଆୟୋଜିତ କର୍ମୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କ ସହ ବହୁ ବିଜେଡି କର୍ମୀ ଓ ସମର୍ଥକମାନେ ପଦ୍ମ ଧରିଥିଲେ। ପରେ ବୈଠକରେ ଯୋଗ ଦେଇଥିବା ମହିଳାମାନଙ୍କୁ ନିଜେ କେନ୍ଦ୍ରମନ୍ତ୍ରୀ ଖାଦ୍ୟ ପରଷିଥିଲେ।