ଧର୍ମେନ୍ଦ୍ରଙ୍କ ନୂଆ ଦାୟିତ୍ବ: ଆଶାରେ ଅନୁଗୁଳ

ମାଟିର ପୁଅ ଧର୍ମେନ୍ଦ୍ର ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ତାଙ୍କର ଏହି ନୂଆ ଦାୟିତ୍ବ ନେଇ ବେଶ୍ ଉତ୍ସାହିତ ହୋଇ ଉଠିଛନ୍ତି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଅଧିବାସୀ। ଗୋଟିଏ ହେଲେ ବି ବିଶ୍ବବିଦ୍ୟାଳୟ କିମ୍ବା ଜାତୀୟ ସ୍ତରର ଅନୁଷ୍ଠାନ ନ ଥିବାରୁ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ବେଶ୍ ପଛରେ ପଡ଼ି ଯାଇଥିଲେ ଏହି ଦୁଇ ଜିଲ୍ଲା। ଏବେ କିନ୍ତୁ ଅଞ୍ଚଳ ପାଇଁ ଶିକ୍ଷାର ବାଟ ଖୋଲିବ ବୋଲି ଆଶା ରଖିଛନ୍ତି ଉଭୟ ଜିଲ୍ଲାବାସୀ । ଜିଲ୍ଲାବାସୀଙ୍କ ଏହି ଆଶା ମାଟିର ପୁଅ ଧର୍ମେନ୍ଦ୍ରଙ୍କ ଆଗରେ ଏକ ନୂଆ ଆହ୍ବାନ ରୂପେ ଉଭା ହୋଇଛି।

ଅନୁଗୁଳ : ଖଣି ଓ କଳକାରଖାନାରେ ଭର୍ତ୍ତି ହୋଇଗଲାଣି ଅନୁଗୁଳ ଜିଲ୍ଲା। ଦ୍ରୁତ ଶିଳ୍ପାୟନ ସହ ସରକାରଙ୍କୁ ବିପୁଳ ପରିମାଣର ରାଜସ୍ବ ଦେଉଥିବା ଏହି ମାଟି କିନ୍ତୁ ଯେତିକି ନ୍ୟାୟ ପାଇବା କଥା ତାହା ଏ ପର୍ଯ୍ୟନ୍ତ ପାଇପାରିନାହିଁ। ଭୌଗୋଳିକ ଦୃଷ୍ଟିକୋଣରୁ ରାଜ୍ୟର କେନ୍ଦ୍ରସ୍ଥଳରେ ରହିଥିବା ଏହି ଜିଲ୍ଲାରେ ଗୋଟିଏ ହେଲେ ବି ବିଶ୍ବବିଦ୍ୟାଳୟ ନାହିଁ। କେବଳ ଏତିକି ନୁହେଁ, ଜାତୀୟ ସ୍ତରର କୌଣସି ଗୋଟିଏ ବଡ଼ ଶିକ୍ଷାନୁଷ୍ଠାନ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ ଥିଲେ ମଧ୍ୟ ଆବଶ୍ୟକତା ମେଣ୍ଟାଇପାରୁନି। ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଅନୁଗୁଳ ଜିଲ୍ଲାରେ କିନ୍ତୁ ଏବେ ସମ୍ଭାବନାର ସ୍ବର ଗଜୁରିଛି। ଏ ମାଟିର ପୁଅ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମନ୍ତ୍ରଣାଳୟ ସମ୍ଭାଳିବା ପରେ ଅନୁଗୁଳ ନ୍ୟାୟ ପାଇବ ବୋଲି ଆଶା ସଂଚାର ହୋଇଛି।

କେନ୍ଦ୍ରରେ ପାଖାପାଖି ୭ ବର୍ଷ ଧରି ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ଏବେ ତାଙ୍କୁ କେନ୍ଦ୍ର ସରକାରରେ ଶିକ୍ଷା ମନ୍ତ୍ରଣାଳୟ ଦିଆଯାଇଛି। ଧର୍ମେନ୍ଦ୍ର ଅନୁଗୁଳ ମାଟିର ପୁଅ ହୋଇଥିଲାବେଳେ ଆଗରୁ ପାଳଲହଡ଼ା ବିଧାୟକ ଓ ଦେବଗଡ ସାଂସଦ ଭାବେ ଏହି ଅଞ୍ଚଳକୁ ପ୍ରତିନିଧିତ୍ବ କରିଛନ୍ତି। ସେ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ଶିକ୍ଷା ଓ ଦକ୍ଷତା ବିକାଶ ଭଳି ଏକ ଓଜନିଆ ବିଭାଗ ତାଙ୍କୁ ମିଳିଥିବାରୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଲୋକମାନେ ଆଶାବାଦୀ ହୋଇ ପଡ଼ିଛନ୍ତି। ଏଠାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ନେଇ ସମ୍ଭାବନା ବଢିଛି।

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଅନେକ ଶିଳ୍ପ ସ୍ଥାପନ ହୋଇଥିଲାବେଳେ ତାଳଚେର କୋଇଲା ଖଣିରୁ ଦେଶର ବିଭିନ୍ନ ଭାଗକୁ କୋଇଲା ରପ୍ତାନି ହେଉଛି। ଏମ୍‌ସିଏଲ, ନାଲକୋ, ଏନଟିପିସି ପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏଠାରେ ରହିଛି। କିନ୍ତୁ ଶିକ୍ଷା ବିଭାଗର କୌଣସି ବଡ଼ ଅନୁଷ୍ଠାନ ଅନୁଗୁଳ ଜିଲ୍ଲାରେ ନାହିଁ। ବାରମ୍ବାର ଦାବି ସତ୍ତ୍ବେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଟିଏ ବିଶ୍ବବିଦ୍ୟାଳୟଟିଏ ସ୍ଥାପନ ହୋଇପାରିଲା ନାହିଁ। ବ୍ୟାପକ ସୁଯୋଗ ରହିଥିଲେ ହେଁ, ଅନ୍ୟ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲାଯାଇନି। ଏବେ କିନ୍ତୁ ଅନୁଗୁଳ ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଜାତୀୟ ଶିକ୍ଷାନୁଷ୍ଠାନ ଖୋଲିବାର ବାଟ ଫିଟିଲା ବୋଲି ଜିଲ୍ଲାବାସୀଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି(ଆଇଆଇଆଇଟି), ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ(ଆଇଆଇଏସ୍‌ସି) ପରି ପ୍ରତିଷ୍ଠାନ ଏଠାରେ ଖୋଲାଯାଇପାରେ। ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ଆଇଜର, ନାଇଜର ପରି ଜାତୀୟ ଅନୁଷ୍ଠାନଗୁଡିକର ରୁରାଲ କିମ୍ବା ସାଟେଲାଇଟ କ୍ୟାମ୍ପସ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ମିଳିପାରେ। ଦକ୍ଷତା ବିକାଶ ବିଶ୍ବବିଦ୍ୟାଳୟ ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ପାଖରେ ସୁଯୋଗ ରହିଛି। ସେହିପରି ଏଠାରେ ଏକ ବିଶ୍ବସ୍ତରୀୟ ପାଠାଗାର ଓ କୋଚିଂ କେନ୍ଦ୍ର ଖୋଲିବା ନେଇ ଯେଉଁ ଦାବି ଉଠୁଛି ତା’କୁ ମଧ୍ୟ ଗୁରୁତ୍ବ ଦେବାକୁ ପଡ଼ିବ। ନିଜ କାର୍ଯ୍ୟକାଳ ଭିତରେ ଧର୍ମେନ୍ଦ୍ର ନିଶ୍ଚିତ ଭାବେ ଏମିତି କିଛି କରି ଏ ମାଟିର ଋଣ ସୁଝିବେ ବୋଲି ଶିକ୍ଷାବିତ ଓ ଜିଲ୍ଲାବାସୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର