ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ : ସର୍ବଦଳୀୟ ବୈଠକ ଡାକନ୍ତୁ, ଗୃହ କମିଟି ଗଠନ ହେଉ
ଆପୋସ ବୁଝାମଣାରେ ବିବାଦର ସମାଧାନ କରାଯାଉ
ଓଡ଼ିଶାର ଲୋକଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ସାଲିସ କରା ନ ଯାଉ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡର ଦୀର୍ଘ ଦିନର ସୀମା ବିବାଦ ରହିଛି। ଆପୋସ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୀମା ବିବାଦର ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ଏହାର ବିସ୍ତୃତ ଆଲୋଚନା ଓ ସ୍ଥାୟୀ ସମାଧାନ ପାଇଁ ବିଧାନସଭାରେ ଗୃହ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ଓଡ଼ିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ନିଆଯାଉ। ସେହିପରି ବିଧାନସଭାର ଗୃହ କମିଟି ଗଠନ କରାଗଲେ ଏହାର ସଦସ୍ୟମାନେ ସୀମା ବିବାଦ ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ। ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କର ମଧ୍ୟ ସହାୟତା ଲୋଡ଼ାଯାଇପାରିବ। ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶା ନିଜ ପଡ଼ୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିପାରିବ। ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟଗୁଡ଼ିକ ମଧ୍ୟରେ ଭାଇଚାରା ଦୃଷ୍ଟିରେ ଓଡ଼ିଶା ଏହି ସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ। ଓଡ଼ିଶାର ଲୋକଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନ ହୁଏ, ତାହାକୁ ସୁନିଶ୍ଚିତ କରିବା ସହ ଆବଶ୍ୟକ ପଡ଼ିଲେ ରାଜ୍ୟ ଏହି ବିବାଦକୁ ସମାଧାନ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ନିମନ୍ତେ ବିଚାର କରିବା ଉଚିତ।
ଶ୍ରୀ ପ୍ରଧାନ ଚିଠିରେ ଆହୁରି ଦର୍ଶାଇଛନ୍ତି ଯେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ ଉତ୍ତେଜନା ଦେଖିବାକୁ ମିଳିଛି। ଜଣାପଡିଛି ଯେ, ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ପୋଖରୀ ଖୋଳିଥିବା ଜଣାପଡ଼ିଛି। ଏହି ପୋଖରୀ ଖୋଳାକୁ ଓଡ଼ିଶା ଗ୍ରହଣ କରୁ ନାହିଁ। ଏହି ଘଟଣାର ପ୍ରତିବାଦ କରି ଆନ୍ଧ୍ରପ୍ରଦେଶ ପାର୍ଶ୍ବରେ ଥିବା ପଟାଙ୍ଗୀ-ଆର୍କୁ ରାସ୍ତାକୁ ସ୍ଥାନୀୟ ଗ୍ରାମବାସୀ ଅବରୋଧ କରିଦେବା ପରେ ମାମଲା ବଢ଼ିଛି।
ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ଦ୍ୱାରା ଏକାପାଖିଆ ଭାବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ଖନନ କରାଯାଇଥିଲା। ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ସହ ସୀମା ସେୟାର କରୁଛି। ଐତିହାସିକ ଓ ଭୌଗଳିକ କାରଣରୁ ଓଡ଼ିଶାର ଏହି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ତଥା ଜଳ ବିବାଦର ଏକ ଦୀର୍ଘ ଇତିହାସ ରହିଛି। ଓଡ଼ିଶା ରାଜ୍ୟ ଗଠନ ହେବା ପାଇଁ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହିତ ଏହି ସମୟରେ ଅନେକ କଷ୍ଟ ଦେଖିଛି। ତେବେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ମାତ୍ର ଏହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ସେ ସମୟରେ ଅନେକ ଓଡ଼ିଆ ଭାଷାଭାଷୀ ଗାଁ ମାଡ୍ରାସ, ବିହାର ଏବଂ ବଙ୍ଗଳା ପ୍ରଦେଶର ସୀମା ମଧ୍ୟରେ ରହିଯାଇଥିଲା। ସ୍ୱାଧୀନୋତ୍ତର ଭାରତର ପ୍ରାରମ୍ଭରେ ହୋଇଥିବା ଓଡ଼ିଶା ପୁନଃଗଠନର ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ ସମେତ ୨୭ଟି ପ୍ରିନ୍ସଲି ଷ୍ଟେଟ୍ କିମ୍ବା ଗଡ଼ଜାତ ଓଡ଼ିଶା ସହ ମିଶିଥିଲା ଏବଂ ୧୯୫୧ ମସିହାରେ ମୟୂରଭଞ୍ଜ ମଧ୍ୟ ଏହି ଧାରାରେ ସାମିଲ ହୋଇଥିଲା । ସ୍ୱାଧୀନ ଭାରତର ପାଞ୍ଚ ଦଶନ୍ଧି ମଧ୍ୟରେ ଆନ୍ଧ୍ରପ୍ରଦେଶ ୧୯୫୬ ମସିହାରେ ଗଠନ ହୋଇଥିଲା ଏବଂ ୨୦୦୦ ମସିହାରେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ରାଜ୍ୟ ଗଠନ କରାଯାଇଥିଲା, ଯାହାର କି ଓଡିଶା ସହିତ ସୀମା ବିବାଦ ରହିଥିଲା।
ପୂର୍ବ ସୀମା ବିବାଦରୁ ଯାହା ଜଣାପଡ଼େ ଯେ, ଜମିର ଠିକ୍ ଚିତ୍ରଣରୁ ଉପୁଜୁଥିବା ବିବାଦ ବସବାସ କରୁଥିବା ଲୋକଙ୍କ ସମସ୍ୟାକୁ ଲୁଚାଇ ଦେଇଥାଏ। ଏହି ପରିସ୍ଥିତିର ସାମଗ୍ରିକ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ସୀମାର ଉଭୟ ପାର୍ଶ୍ବରେ ରହୁଥିବା ଲୋକଙ୍କ ବିକାଶ ତଥା ଭିତ୍ତିଭୂମି ଆହ୍ୱାନ ଯଥା ଦୁର୍ଗମ ଅଞ୍ଚଳରେ ଉତ୍ତମ ସଂଯୋଗ ସ୍ଥାପନା ସହ ଭିତ୍ତିଭୂମି ଯୋଗାଇବା, ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଏବଂ ନକ୍ସଲ ସମସ୍ୟାକୁ ମିଳିତ ଭାବେ ଦମନ କରିବା ଦିଗରେ ଧ୍ୟାନ ଦେବା ଉଚିତ। ସୀମାନ୍ତ ଅଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ରୋଜଗାର ତଥା ସାମଗ୍ରୀ ପରିବହନ ଭଳି ସାମାଜିକ-ଅର୍ଥନୈତିକ ବାସ୍ତବତାକୁ ପ୍ରଶଂସା କରିବା ମଧ୍ୟ ଆବଶ୍ୟକ। ସୀମା ବିବାଦ ଫଳରେ ଏହାର ପ୍ରଭାବ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଉପରେ ପଡ଼ୁଛି। ତେବେ କାଗଜରେ ସୀମା ସମ୍ପୂର୍ଣ୍ଣ ନିର୍ଦ୍ଧାରିତ ଥିବା ମନେ ହୁଏ। କିନ୍ତୁ ସୀମାର ଉଭୟ ପାର୍ଶ୍ବରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସାଂସ୍କୃତିକ, ସାମାଜିକ ନୀତି, ଭାଷାର ସମ୍ପର୍କ ରହୁଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।