ଝାରସୁଗୁଡ଼ା/ଲଇକେରା: ‘ଗତ କିଛିଦିନ ହେବ ମୁଁ ମହାନଦୀ କୂଳରେ ଥିବା ଜିଲ୍ଲାଗୁଡ଼ିକୁ ଯାଇଛି। ହେଲେ, ଏହି ଜିଲ୍ଲାଗୁଡ଼ିକରେ ମରୁଡ଼ି ହେଉଛି । ଏହା କ’ଣ ୨୪ ବର୍ଷ ଶାସନର ରୂପାନ୍ତର?’ ମଙ୍ଗଳବାର ଝାରସୁଗୁଡ଼ାର ଲଇକେରା ଓ କିର୍ମିରାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବ, ଜନସମାବେଶରେ ଯୋଗଦେଇ ଏଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ସକାଳେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଲଇକେରାଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ କରୁଣାକର ସିଂହ ନାଏକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲଇକେରାସ୍ଥିତ ମା’ ଅନ୍ଧାରୀ ଓ ମା’ସମଲେଇଙ୍କ ମନ୍ଦିରରେ ଦର୍ଶନ କରିଥିଲେ। ଏହାପରେ ଲଇକେରାସ୍ଥିତ ନୂଆ ଅପେରା ପଡ଼ିଆରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ, ଅପାର ସମ୍ଭାବନାର ଅଞ୍ଚଳ ଝାରସୁଗୁଡ଼ା ଜିଲ୍ଲାର କୋଇଲାରୁ ଭାରତବର୍ଷର ଅନେକ ଅଞ୍ଚଳରେ ବିଜୁଳି ଜଳେ। ଝାରସୁଗୁଡ଼ାର ଶିଳ୍ପ, ଲୁହା, ଆଲୁମିନିୟମରେ ଦେଶର ଅର୍ଥନୀତି ମଜଭୁତ୍ ହେଉଛି । କିନ୍ତୁ ୨୪ ବର୍ଷ ଶାସନରେ ରହିବା ପରେ ବି ବିଜେଡି ସରକାର ଝାରସୁଗୁଡ଼ାରେ ମୌଳିକ ବିକାଶ କରିପାରିନି ।
ଏଠାରେ ମହାନଦୀ ଓ ଇବ୍ ନଦୀ ପ୍ରବାହିତ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ମା’ ଓ ଭଉଣୀମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି । ରାଜ୍ୟରେ ଘରେ ଘରେ ପାଣି ଯୋଗାଇବା ପାଇଁ ମୋଦୀ ସରକାର ୧୦ ହଜାର କୋଟି ରାଜ୍ୟକୁ ଦେଇଛନ୍ତି । ଏଥିରୁ ସରକାର ମାତ୍ର ୮୦୦ କୋଟି ଖର୍ଚ୍ଚ କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଏଥିସହିତ, କେନ୍ଦ୍ରମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଉଠାଇ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ। ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ସରକାରୀ ପୁଲିସ କର୍ମଚାରୀ ଗୁଳିକରି ହତ୍ୟା କରୁଛି, ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ଥାଇପାରେ ବୋଲି କହିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ନେତ୍ରୀ ତଥା ସରପଞ୍ଚ ସୁକାନ୍ତି ଜୟପୁରିଆଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ଯୋଗଦେଇଥିଲେ। ଲଖନପୁର ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଚିଖିଲି ଓ ଶରଧା ଅଞ୍ଚଳର ସ୍ଥାନୀୟ ମତ୍ସ୍ୟଜୀବୀ ଓ ଲୋକମାନଙ୍କୁ ବାଗଡିହି ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଜିଲ୍ଲା ବିଜେପି ସଭାପତି ସୁନୀଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fshfsfshfhfh.jpg)
