କୁଚିଣ୍ଡା/ଜମନକିରା/ ବାମରା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୁଚିଣ୍ଡା ନିର୍ବାଚନମଣ୍ଡଳୀର ଭୋଜପୁର, କୁସୁମୀ, ଗୋଛରା, କେଶାଇବାହାଲ, ବାମରା ଓ ଗଡ଼ପୋଷ ଆଦି ସ୍ଥାନରେ ପ୍ରଚାର କରିଛନ୍ତି। ଦୀର୍ଘ ୨୫ବର୍ଷ ଧରି ଯେଉଁମାନେ ଓଡ଼ିଶାକୁ ଲୁଟ୍‌ କରିଛନ୍ତି, ଗାଁରେ ପିଇବା ପାଣି ଦେଇନାହାନ୍ତି, ଜମିକୁ ଜଳସେଚନର ବ୍ୟବସ୍ଥା କରିନାହାନ୍ତି ଓ ଏବେ ଓଡ଼ିଶାର ନେତୃତ୍ୱମାନଙ୍କୁ ଆଡ଼େଇ ଦେବା ପାଇଁ ଷଡ଼୍‌ଯନ୍ତ୍ର କରିଛନ୍ତି, ସେମାନେ ହିଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର। କେବଳ ସେତିକି ନୁହେଁ, ଏଥର ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ମୂଳପୋଛ କରିବେ ବୋଲି ସେ କହିଥିଲେ।

Advertisment

ଧର୍ମେନ୍ଦ୍ର କହିଥିଲେ, ଓଡ଼ିଶାରେ ବିପୁଳ ପନିପରିବା ଉତ୍ପାଦନ ହେଉଥିଲେ ହେଁ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା ନାହିଁ। ସରକାରୀ ଡାକ୍ତରଖାନାରେ ଡାକ୍ତର ଦେଇନାହାନ୍ତି। ସ୍କୁଲରେ ଶିକ୍ଷକ ରଖିନାହାନ୍ତି। ଓଡ଼ିଶାର ଏକ ତୃତାୟାଂଶ ଲୋକ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ କାମ କରୁଛନ୍ତି। ଏଥିରୁ କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି, ତାହା ଲୋକ ବିଚାର କରିବେ ବୋଲି ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ। ସେ ଆହୁରି କହିଥିଲେ, କୃଷିଭିତ୍ତିକ ଅଞ୍ଚଳରେ ଜମିକୁ ଜଳସେଚନ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି। ନିୟମିତ ମରୁଡ଼ିର ଶିକାର ହେଉଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳୁନାହିଁ। ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା? ଏସବୁ କ’ଣ ରୂପାନ୍ତର କି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ୃଛେଣ୍ଡିପଦାରେ ଧାନ କିଣାରେ କଟ୍‌ନିଛଟ୍‌ନି ହେଉଛି। ଏହା ବିରୋଧରେ ଲୋକେ ମେଳି ବାନ୍ଧିଛନ୍ତି। ଓଡ଼ିଶାରେ ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର ଓ ମହିଳା ସୁରକ୍ଷା ପାଇଁ ପରିବର୍ତ୍ତନ ହେବ। ବିଜେପିର ସଂକଳ୍ପ ପତ୍ର ଉପରେ ସମବେତ ଜନସାଧାରଣଙ୍କୁ ଅବଗତ କରାଇ ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ। ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ। କଟ୍‌ନଛଟ୍‌ନି ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର୍‌ ଦିଆଯିବ। ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ। କେନ୍ଦୁପତ୍ର ବିଡ଼ା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ। ଏସ୍‌ଏଚ୍‌ଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ଏଥିସହିତ କୁଚିଣ୍ଡାକୁ ଏକ ଅଗ୍ରଣୀ ସବ୍‌ଡିଭିଜନ୍‌ ଭାବେ ଗଢ଼ିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଅନେକ ନେତା, କର୍ମୀ ଓ ଯୁବବର୍ଗମାନେ ବିଜେପିରେ ସାମିଲ ହୋଇଥିଲେ। ଦୁଇ ଗୁଣା ପଦ୍ମ, ଦୁଇ ଗୁଣା ବିକାଶର ନାରା ଦେବା ସହ ଲୋକସଭା ଓ ବିଧାନସଭାରେ ଦୁଇଥର ପଦ୍ମଫୁଲରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରାର୍ଥୀ ରବିନାରାୟଣ ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ନୃପଲାଲ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ।