ଚଣ୍ଡିଖୋଲ: ମୁଣ୍ଡ ଉପରେ ନାହିଁ ଛାତ। ଦିନତମାମ ହାଡ଼ଭଙ୍ଗା ଖଟଣି ପରେ ପେଟ ପାଇଁ ଭାତ ଗଣ୍ଡାଏ ଯୋଗାଡ଼ କରିବା କଷ୍ଟକର। ବାକି ଦେହ ଢାଙ୍କିବା ପାଇଁ କନା କଥା। ଝିଅ, ବୋହୂମାନଙ୍କ ପାଇଁ ଲୁଗା ଖଣ୍ଡେ କିଣିଲେ ବହୁତ। ପୁରୁଷମାନେ ଫୁଙ୍ଗୁଳା ଦେହରେ ଥା’ନ୍ତି। ମଣିଷର ମୂଳ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ଏଭଳି ସଂଘର୍ଷ କରୁଛନ୍ତି ବଡ଼ଚଣା ବ୍ଲକ ଚାରିନଙ୍ଗଳ ପଞ୍ଚାୟତର ଧାଉଡ଼ିଆପଦା ଦେହୁରୀସାହି ବାସିନ୍ଦା।
ବର୍ଷବର୍ଷ ଧରି ଭଙ୍ଗା ଦଦରା ଝାଟିମାଟି ଚାଳିଆ ଘରେ ପାଲ ଟାଣି ଜୀବନ ଜିଉଛନ୍ତି ୪୫ ପରିବାର। ଲୋକସଂଖ୍ୟା ପ୍ରାୟ ୫୦୦ ହେବ। ଏମାନଙ୍କ ଦୁଃଖର ଆରମ୍ଭ କେଉଁଠି, ଆଉ ସରିବ କେବେ ତାହା ସେମାନେ ଜାଣନ୍ତିନି। ଭାଗ୍ୟକୁ ଆଦରି ସବୁ ଯୋଜନାରୁ ବଞ୍ଚିତ ହୋଇ ଯେମିତି ପଡ଼ିରହିଛନ୍ତି। ଅଧିକାଂଶ ପରିବାର ଲୋକେ ଭଙ୍ଗା ଦଦରା ପାଲ ଘେରା ଘରେ ରହି ଆସୁଛନ୍ତି । ଅସରାଏ ବର୍ଷା ହେଲେ ଏମାନଙ୍କ ଘରେ ପାଣି ପଶିଯାଇଥାଏ। ପବନ ବହିଲେ ଏହି ସବୁ ପରିବାର ଆତଙ୍କିତ ହୋଇପଡ଼ନ୍ତି। ବର୍ଷାପବନ ସମୟରେ ସେମାନେ ନିଜେ ସୁରକ୍ଷିତ ରହିବେ ନା ଘରକୁ ସୁରକ୍ଷା ଦେବେ, ତାହା ଜାଣିପାରନ୍ତି ନାହିଁ। ଏମିତି ଦୟନୀୟ ଜୀବନ ବିତାଉଛନ୍ତି ସୁନାକର ଦେହୁରୀ, ଶଙ୍କର ଦେହୁରୀ, ଦୀନବନ୍ଧୁ ଦେହୁରୀ, ବାବୁଲି ଦେହୁରୀ, କୁଳମଣି ଦେହୁରୀ, ଲଛମନ ଦେହୁରୀ, ଠୁକୁ ଦେହୁରୀ, ବଳରାମ ଦେହୁରୀ, କୁମର ଦେହୁରୀ, ଭରତ ଦେହୁରୀ ଓ ମହନି ଦେହୁରୀଙ୍କ ପରିବାର ପରି ଆହୁରି ଅନେକ।
ସେମାନଙ୍କ କହିବା ଅନୁସାରେ ସରକାରଙ୍କ ଆବାସ ଯୋଜନା ମିଳୁନାହିଁ। ପ୍ରଶାସନ ପାଖରେ ବହୁବାର ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଆପତ୍ତି ଅଭିଯୋଗ କରି ଥକିଲେଣି। ଗତ ୨୨/୨୩ ବର୍ଷ ପୂର୍ବରୁ ଏହି ସାହିର କେତେକ ଲୋକଙ୍କୁ ଆବାସ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଇଥିଲା। ମାତ୍ର ସେମାନେ କେହି ଘର କାର୍ଯ୍ୟ ସଂପୂର୍ଣ୍ଣ କରିପାରିନଥିଲେ। ସେସବୁ ଅଧପନ୍ତରିଆ ଭାବେ ପଡ଼ି ରହିଛି। ସରକାରୀ ନିୟମ ଅନୁଯାୟୀ ଏମାନେ ବର୍ତ୍ତମାନ ଆବାସ ଯୋଜନାରେ ଘର ପାଇପାରୁ ନାହାନ୍ତି। ସାହିର ସମସ୍ତେ ଦିନ ମଜୁରିଆ ହୋଇଥିବାରୁ ଘର ସଂପୂର୍ଣ୍ଣ କରିବାକୁ କାହାରି ସାମର୍ଥ୍ୟ ନାହିଁ। ସେହିପରି ସାହିର ଅନେକ ପରିବାର ରାସନ କାର୍ଡରୁ ବଞ୍ଚିତ ରହିଛନ୍ତି। ଭୋଟର କାର୍ଡ, ଆଧାର କାର୍ଡ ଥିଲେ ମଧ୍ୟ କେତେକ ପରିବାର ରାସନ କାର୍ଡ ପାଇନାହାନ୍ତି। ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଏହାର ନିଜସ୍ୱ ଗୃହ ନଥିବାରୁ ସାହି କୋଠଘରରେ ଏହା ଚାଲୁଛି। ଏହି ସାହିରେ ଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜନ ପ୍ରତିନିଧିମାନେ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ପରେ ପୁଣି ଭୁଲିଯାଇଥାନ୍ତି ବୋଲି ସାହି ବାସିନ୍ଦା କହିଛନ୍ତି। ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ ପାଇଁ ସାହି ବାସିନ୍ଦା ଦାବି କରିଛନ୍ତି।