ଭୁବନେଶ୍ବର: ଏମ୍‌ସ୍‌ ଛକରୁ ଧଉଳି ପର୍ଯ୍ୟନ୍ତ ଫିଟିବ ରାସ୍ତା। ଏବରଙ୍ଗ, ରଣସିଂହପୁଟ, ସରକନ୍ତରା ଦେଇ ଜୟପୁର ପର୍ଯ୍ୟନ୍ତ ରାସ୍ତା ତିଆରି ହେବ। ସେଠାରୁ ଧଉଳି ପର୍ଯ୍ୟନ୍ତ ରାସ୍ତାକୁ ଚଉଡ଼ା କରାଯିବ। ଏଭଳି ଏକ ୨୦୦ ଫୁଟିଆ ରାସ୍ତାର ଯୋଜନା କରିଛି ପୂର୍ତ୍ତ ବିଭାଗ। ଏଥିପାଇଁ ସର୍ଭେ ମଧ୍ୟ ଶେଷ ହୋଇଛି। ଏହା ଫଳରେ ପୁରୀରୁ ଏମ୍‌ସ ଆସୁଥିବା ରୋଗୀ କମ୍‌ ସମୟରେ ପହଞ୍ଚିବେ। ଖୋର୍ଦ୍ଧା କିମ୍ବା ଖୋର୍ଦ୍ଧାରୁ ଖଣ୍ଡଗିରି ପର୍ଯ୍ୟନ୍ତ ବାସିନ୍ଦା ଜାତୀୟ ରାଜପଥରେ ବୁଲି ବୁଲି ନ ଯାଇ ଏହି ରାସ୍ତାରେ ସିଧା ସଳଖ ପୁରୀ ଯିବାକୁ ସହଜ ହେବ। କିନ୍ତୁ ଏହି ରାସ୍ତାରେ ବାଧକ ହେବାକୁ ଯାଉଛି ଏମ୍‌ସ୍‌ ଅଣ୍ଡରପାସ୍‌। ଅଣଓସାରିଆ ହୋଇଥିବାରୁ ଖୋର୍ଦ୍ଧାରୁ ପାର୍ଶ୍ବରୁ ଏହି ରାସ୍ତାରେ ଯିବାକୁ ଚାହୁଥିବା ଗାଡ଼ିଗୁଡ଼ିକ ଯୋଗୁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଥୟ ହୋଇଛି। ଏଠାରେ ଫ୍ଲାଏ ଓଭର ନିର୍ମାଣ ନହେଲେ ଏହି ପ୍ରକଳ୍ପ ବରବାଦ ହେବ। କିମ୍ବା ଏହି ଅଣ୍ଡରପାସ୍‌ ନିକଟରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପୂର୍ବରୁ ଅନେକ ପ୍ରକଳ୍ପ ବରବାଦ ହୋଇଥିବା ବେଳେ ଏବେ ଏହି ପ୍ରକଳ୍ପ ପାଇଁ ମଧ୍ୟ ସାଧାରଣ ଲୋକ ଫସିବାକୁ ଯାଉଛନ୍ତି।

Advertisment

ଏବେ କସ୍‌ମୋପଲିସ୍‌ ଛକରେ ଫ୍ଲାଏ ଓଭର ନିର୍ମାଣ ଚାଲିଛି। ଯେଉଁଥିପାଇଁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ଆଉ କେତେ ଦିନ ଏଭଳି ସମସ୍ୟା ହେବ ତାହାର ମଧ୍ୟ ଉତ୍ତର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଏମ୍‌ସ ଛକରୁ ଧଉଳି ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ପ୍ରସ୍ତୁତ ହେଲେ ଏମ୍‌ସ୍‌ ଅଣ୍ଡର ପାସ୍‌ ହଟାଇ ଫ୍ଲାଏ ଓଭର ନିର୍ମାଣ ହେବ। କସ୍‌ମୋପଲିସ୍‌ ଛକ‌ରେ ନିର୍ମାଣ ହେଉଥିବା ଫ୍ଲାଏଓଭର ପାଇଁ ଏମ୍‌ସ୍‌ ଅଣ୍ଡରପାସ୍‌କୁ ୪ ମାସ ହେବ ବନ୍ଦ ରଖିବାକୁ ପଡ଼ିଛି। ଅର୍ଥାତ୍‌ ଲୋକ ଏମ୍‌ସ୍‌ ଯିବା ପାଇଁ ଓ ଏମ୍‌ସ୍‌ରୁ ଆସିବା ପାଇଁ ୪ ମାସ ହେଲା ୫ କିଲୋମିଟର ବୁଲି ବୁଲି ନୟାନ୍ତ ହେଲେଣି। ଏବେ ଏଠାରେ ଯଦି ଫ୍ଲାଏଓଭର ନିର୍ମାଣ କରାଯାଏ, ପୁଣି ଏହାକୁ ବନ୍ଦ ରଖିବାକୁ ପଡ଼ିବ। ଏକ ସମୟରେ ଉଭୟ ଫ୍ଲାଏ ଓଭର ନିର୍ମାଣ କରିଥିଲେ ସ‌ାଧାରଣ ଲୋକଙ୍କୁ ଦୁଇ ଦୁଇ ଥର ହଇରାଣ ହେବାକୁ ପଡ଼ିନଥାନ୍ତା। ଗୋଟିଏ ସମୟରେ ଦୁଇଟି ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ହୋଇପାରିଥାନ୍ତା। କିନ୍ତୁ ଉଭୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ପୁଣି ଥରେ ଜନସ୍ବାର୍ଥ ବିରୋଧୀ ହେବାକୁ ଯାଉଛି।

ଏହି ଅଣ୍ଡରପାସ୍‌ ପ୍ରଥମଥର ପାଇଁ ବନ୍ଦ ହୋଇନାହିଁ। ଗତ ୨୦୨୨ ମସିହା ଡିସେମ୍ବର ମାସରେ ଏହାକୁ ବନ୍ଦ ରଖାଯାଇଥିଲା। କସମୋପଲିସ୍‌ ଛକରୁ ଏମ୍‌ସ ସର୍ଭିସ୍ ରୋଡ୍‌ରେ ଡ୍ରେନ୍ ଓ ଫୁଟ୍‌ପାଥ ନିର୍ମାଣ ପାଇଁ ଏହାକୁ ପ୍ରାୟ ମାସେ କାଳ ବନ୍ଦ ରଖାଯାଥିଲା। ସେତେବେଳେ ଏହି ଅଞ୍ଚଳର ଅଧିବାସୀ ତଥା ଏମ୍‌ସ୍‌ରୁ ଆସୁଥିବରା ରୋଗୀ ଖଣ୍ଡଗିରି ଯିବାକୁ ହେଲେ ପାତ୍ରପଡ଼ା ଶନିମନ୍ଦିର ଅଣ୍ଡରପାସ୍‌ ଦେଇ ଯାଉଥିଲେ। ଏବେ ଏହି ଅଣ୍ଡରପାସ୍‌କୁ ମଧ୍ୟ ବନ୍ଦ ରଖାଯାଇଛି। ଏଣୁ ଡୁମୁଡୁମା କସ୍‌ମୋପଲିସ୍‌ ଅଞ୍ଚଳ ସମେତ ଡୁମୁଡୁମା ହାଉସିଂବୋର୍ଡ, ଯଦୁପୁର, ରଘୁନାଥନଗର ଆଦି ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ୧୫ କି‌ଲୋମିଟର ବୁଲୁଛନ୍ତି। ସମନ୍ବୟ ଅଭାବ ଯୋଗୁ ସର୍ବସାଧାରଣଙ୍କ ଅର୍ଥ ବରବାଦ ହେବା ଓ ଜନସାଧାରଣ ହିଁ ଅଡ଼ୁଆରେ ପଡ଼ିବା ଭଳି ଆଉ ଏକ ବଡ଼ ଉଦାହରଣ ହେଉଛି କସ୍‌ମୋପଲିସ୍‌ରୁ ଏମ୍‌ସ୍‌ ଛକ ପର୍ଯ୍ୟନ୍ତ ନଳା ପ୍ରସ୍ତୁତି। ୩୦ଲକ୍ଷ ବ୍ୟୟରେ ଏନ୍‌ଏଚ୍‌ଏଆଇ ଏଠାରେ ନଳା ନିର୍ମାଣ କରିଥିଲା। କିନ୍ତୁ ବିଏମ୍‌ସି ଓ ପୂ୍ର୍ତ୍ତ ବିଭାଗ ସହ ସହିତ ସମନ୍ବୟ ରକ୍ଷା ହୋଇନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରିଲା ନାହିଁ। ଏଣେ କସ୍‌ମୋପଲିସ୍‌ରୁ ଏମ୍‌ସ୍‌ ଅଣ୍ଡରପାସ୍‌ ପର୍ଯ୍ୟନ୍ତ ସର୍ଭିସ୍‌ ରୋଡ୍‌କୁ ୩ଲେନ୍‌ ବିଶିଷ୍ଟ କରିବାକୁ ଥିବାରୁ ଏହି ନଳାକୁ ୨୦୨୨ ମସିହା ଜୁନ୍‌ ମାସରେ ଏନ୍‌ଏଚ୍‌ଏଆଇ ପୋତି ଦେଇଥିଲା। ଏଥିପାଇଁ ମଧ୍ୟ ୨ ସପ୍ତାହରୁ ଊର୍ଦ୍ଧ୍ବ କାଳ ଲୋକ ଯମଯନ୍ତ୍ରଣା ଭୋଗିଥିଲେ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଏମ୍‌ସ୍‌ ଭେଇକିଲ୍‌ ଅଣ୍ଡର ପାସ୍‌(ଭିୟୁପି)ର ଓସାର୧୨ ମିଟର ହୋଇଥିବା ବେଳେ ଉଚ୍ଚତା ୮.୫ମିଟର ରହିଛି। ବଡ଼ଗାଡ଼ି ଯାତାୟ‌ାତ ପାଇଁ ଏହା ପ୍ରସ୍ତୁତ ହୋଇନାହିଁ। ଯେତେବେଳେ ଏଠାରେ ଜାତୀୟସ୍ତରର ହସ୍‌ପିଟାଲ୍‌ ପ୍ରସ୍ତୁତ କରାଗଲା, ଏହାକୁ ଫ୍ଲାଏ ଓଭର କରିବାକୁ ଥିଲା। କିନ୍ତୁ ସେତେବେଳେ କଲେନାହିଁ। ଏବେ ଏମ୍‌ସ୍‌-ଧଉଳି ରାସ୍ତା ନିର୍ମାଣ ହେବାକୁ ଥିବାରୁ ଏହାକୁ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରିବା ଆବଶ୍ୟକତା ରହିଛି। କେତେକ ସମନ୍ବୟ ବୈଠକରେ ଏ ନେଇ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ କିଛି ଲାଭ ହେଲାନି।